ଗ୍ୟାଙ୍ଗଟକ୍: ସିକ୍କିମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ପାହାଡ଼ ଖଣ୍ଡ ଆର୍ମି କ୍ୟାମ୍ପରେ ପଡ଼ିବା ଯୋଗୁଁ ୩ ଯବାନ ସହିଦ୍ ହୋଇଥିବାବେଳେ ୬ ଜଣ ଯବାନ ନିଖୋଜ ଥିବା ଜଣାପଡ଼ିଛି ।
ସିକ୍କିମ ଲଛେନ ଜିଲ୍ଲା ଚତେନରେ ରବିବାର ସନ୍ଧ୍ୟା ୭ଟାବେଳେ ଭୂସ୍ଖଳନ ହୋଇଥିବା ସୂଚନା । ପ୍ରବଳ ବର୍ଷା କାରଣରୁ ସ୍ଥାନୀୟ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଜଣାପଡ଼ିଛି ।
ପତିରକ୍ଷା ଅଫିସରଙ୍କ ସୂଚନା ଅନୁସାରେ, ୩ ଜଣ ଯବାନଙ୍କ ମୃତଦେହ ମିଳିଥିବାବେଳେ ବାକି ୬ ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ୍ ଜାରି ରହିଛି ।
ଅନ୍ୟ ୪ ଜଣ ଯବାନଙ୍କୁ ଉଦ୍ଧାର କରାଯାଇଛି । ଭୂସ୍ଖଳନରେ ସେମାନେ ସାମ୍ୟ ଭାବେ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ଯବାନମାନେ ହେଲେ ହବଲଦାର ଲକ୍ଷୱିନ୍ଦର ସିଂହ, ଲାନ୍ସ ନାୟକ ମୁନିସ ଠାକୁର, ପୋର୍ଟର ଅଭିଶେକ ଲଖାଦେ ସହିଦ୍ ହୋଇଥିଲେ ।
ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖିବାକୁ ମିଳିଛି ।