fbpx

ସାଇବର ଆତଙ୍କବାଦ ଓ କଳାଧନ କାରବାର ରୋକିବା ପାଇଁ ବୈଶ୍ୱିକ ନ୍ୟାୟିକ ପ୍ରକ୍ରିୟା ପ୍ରସ୍ତୁତ କରିବା ଲାଗି ଆଇନଜୀବୀଙ୍କୁ ମୋଦୀଙ୍କ ପରାମର୍ଶ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଇବର ଆତଙ୍କବାଦ ଓ କଳାଧନ କାରବାରକୁ ରୋକିବା ପାଇଁ ଏକ ବୈଶ୍ୱିକ ନ୍ୟାୟିକ ପ୍ରକ୍ରିୟା ପ୍ରସ୍ତୁତ କରିବା ଲାଗି ଆଇନଜୀବୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ନୂଆଦିଲ୍ଳୀ ଠାରେ ଦୁଇଦିନିଆ ଆନ୍ତର୍ଜାତିକ ଆଇନଜୀବୀ ସମ୍ମିଳନୀକୁ ଉଦ୍‍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସାଇବର ଅପରାଧ, କଳାଧନ କାରବାର ତଥା କୃତ୍ରିମ ବୁଦ୍ଧିମତାର ଅପବ୍ୟବହାର ଭଳି ସମସ୍ୟାର ମୁକାବିଲା ପାଇଁ ଏକ ବୈଶ୍ୱିକ ବ୍ୟବସ୍ଥା ପ୍ରସ୍ତୁତ କରିବା ଆବଶ୍ୟକ ହୋଇପଡ଼ିଛି । କେବଳ କୌଣସି ଗୋଟିଏ ସରକାର ଏହା କରିବା ଅସମ୍ଭବ ହୋଇଥିବାବେଳେ ଏଥିପାଇଁ ସମସ୍ତ ଦେଶର ଆଇନଜୀବୀମାନଙ୍କୁ ଏକଜୁଟ ହେବାକୁ ପଡ଼ିବ । ବିପଦ ବିଶ୍ୱସ୍ତରୀୟ ହୋଇଥିବାବେଳେ ଏହାର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ପ୍ରସ୍ତୁତି ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନିକଟରେ ସଂସଦରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲ୍‍ ପ୍ରସଙ୍ଗ ଉତ୍‍ଥାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏକାଧିକ ଐତିହାସିକ ପଦକ୍ଷେପ ଗ୍ରହଣ କରୁଥିବା ସମୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ନାରୀଶକ୍ତି ବନ୍ଦନ ଅଧିନିୟମ ଭାରତରେ ମହିଳାମାନଙ୍କ ବିକାଶକୁ ଏକ ନୂଆ ଦିଗ ତଥା ସାମର୍ଥ୍ୟ ପ୍ରଦାନ କରିବ । ଭାରତ ୨୦୪୭ ସୁଦ୍ଧା ଏକ ଉନ୍ନତ ରାଷ୍ଟ୍ରରେ ପରିଣତ ହେବାକୁ କାର୍ଯ୍ୟ କରୁଛି । ଏଥିପାଇଁ ଏକ ନିରପେକ୍ଷ, ସୁଦୃଢ଼ ତଥା ସ୍ୱାଧୀନ ନ୍ୟାୟପାଳିକାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ନ୍ୟାୟିକ ପେଶାଦାରମାନଙ୍କ ଅଭିଜ୍ଞତା ସ୍ୱାଧୀନ ଭାରତର ମୂଳଦୁଆକୁ ସୁଦୃଢ଼ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଯେକୌଣସି ଦେଶର ଗଠନରେ ନ୍ୟାୟପାଳିକା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭାରତରେ ଅନେକ ଦଶନ୍ଧି ପର୍ଯ୍ୟନ୍ତ ପଞ୍ଚାୟତ ମାଧ୍ୟମରେ ବିବାଦ ସମାଧାନର ବ୍ୟବସ୍ଥା ବଳବତ୍ତର ରହିଥିଲା ବେଳେ ଏହି ଅଣଆନୁଷ୍ଠାନିକ ବ୍ୟବସ୍ଥାକୁ ଏକ ନିୟମିତ ଢ଼ାଞ୍ଚା ପ୍ରଦାନ କରିବା ପାଇଁ ସରକାର ମଧ୍ୟସ୍ଥ ଆଇନ ଆଣିଥିଲେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । “ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଦେଖାଦେଉଥିବା ଆହ୍ୱାନ” ଏହି ସମ୍ମିଳନୀର ଶୀର୍ଷକ ରହିଥିବାବେଳେ ପ୍ରଥମଥର ପାଇଁ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ଦ୍ୱାରା ଏହାର ଆୟୋଜନ କରାଯାଇଛି ।

Get real time updates directly on you device, subscribe now.