ନୂଆଦିଲ୍ଲୀ: ଯେଉଁ ଲୋକମାନେ ପାନ୍-ଆଧାର କାର୍ଡ ଲିଙ୍କ କରିନାହାନ୍ତି, ସେମାନଙ୍କ ପାଇଁ ଏକ ଖୁସି ଖବର ସହ ଆସିଛି ଖରାପ ଖବର । ଖୁସି ଖବର ହେଉଛି କି, ସରକାର ଏବେ ପାନ୍-ଆଧାର ଲିଙ୍କ କରିବାର ସମୟ ସୀମା ବୃଦ୍ଧି କରିଛନ୍ତି । କିନ୍ତୁ ଦୁଃଖର ଖବର ହେଉଛି କି ଏଥିରେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି, ଯେଉଁଥିପାଇଁ ଆପଣଙ୍କର ପକେଟ୍ ଖାଲି ହୋଇପାରେ ।
ଆପଣଙ୍କୁ ପାନ୍-ଆଧାର ଲିଙ୍କ୍ କରିବା ପାଇଁ ଏବେ ୧ ବର୍ଷ ସମୟ ମିଳିବ । ପାନ୍ କାର୍ଡ ଏବଂ ଆଧାର କାର୍ଡ ଲିଙ୍କ କରିବାର ଶେଷ ତାରିଖକୁ ବଢ଼ାଇ ୩୧ ମାର୍ଚ୍ଚ ୨୦୨୩ କରିଛନ୍ତି ସରକାର । ଆୟକର ବିଭାଗ ପାଇଁ ସର୍ବୋଚ୍ଚ ନୀତି ପ୍ରସ୍ତୁତକାରୀ ସଂସ୍ଥା ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ମଧ୍ୟ ପାନ୍-ଆଧାରକୁ ଲିଙ୍କ କରିବାର ଶେଷ ତାରିଖ ବଢ଼ାଇବାର ନୋଟିସ୍ ଜାରି କରିଛି । ଏହାପୂର୍ବରୁ ମଧ୍ୟ ସରକାର ପାନ୍-ଆଧାର ଲିଙ୍କ୍ କରିବାର ସମୟସୀମାକୁ ୩ଥର ବୃଦ୍ଧି କରିଛନ୍ତି ।
ଆଧାରକୁ ପ୍ୟାନ କାର୍ଡ ସହ ଲିଙ୍କ କରିବାର ଶେଷ ତାରିଖକୁ ବଢ଼ାଇଛି ସିବିଡିଟି, କିନ୍ତୁ ଏହି କାମ କରିବା ପାଇଁ ୫୦୦ ଟଙ୍କା ଶୁଳ୍କ ଲାଗୁ କରାଯିବ । ଏହାର ଅର୍ଥ, ଏଣିକି ପାନ୍-ଆଧାର ଲିଙ୍କ କରିବାର ମାଗଣା ସେବା ବନ୍ଦ ହୋଇଯାଇଛି । ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଆଧାର-ପାନ୍ ଆଧାର ଲିଙ୍କ ନହେଲେ ବି ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ବିନା କୌଣସି ସମସ୍ୟାରେ ପାନ୍ କାମ କରିବ । କିନ୍ତୁ ଏହାରି ମଧ୍ୟରେ ପାନ୍-ଆଧାର ଲିଙ୍କ କରିବାକୁ ଆପଣ ୫୦୦ ଟଙ୍କା ଖର୍ଚ୍ଚ କରିବେ ଓ ଏହାପରେ ଆପଣଙ୍କୁ ୧,୦୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ ।