ପଞ୍ଚଭୂତରେ ଲୀନ ହେଲେ ରମାକାନ୍ତ ରଥ, ମୁଖାଗ୍ନି ଦେଲେ ପୁଅ ପିନାକୀ

ଆରପାରିରେ କବିତାର ମହାନାୟକ । ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ ।

ଭୁବନେଶ୍ବର: ମହାକବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁରୀ ସ୍ବର୍ଗଦ୍ବାରରେ ରମାକାନ୍ତ ରଥ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ।

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମୁଖାଗ୍ନି ଦେଲେ ପୁଅ ପିନାକୀ ରଥ । ତେବେ ଶେଷକୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।

ପ୍ରକାଶଥାଉକି, ଗତକାଲି ୯୧ ବର୍ଷ ବୟସରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ ରମାକାନ୍ତ ରଥ । ଶ୍ରୀରାଧା କବି ଭାବରେ ସେ ଖୁବ୍ ପରିଚିତ ଥିଲେ ।

ରବିବାର ଭୋର ସାଢେ 4ଟା ସମୟରେ ଖାରବେଳନଗର ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 90 ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ସାହିତ୍ୟ ଜଗତ ସ୍ତବ୍ଧ ହୋଇଯାଇଛି ।

ନିଜର ଶ୍ରେଷ୍ଠ କବିତା ଗ୍ରନ୍ଥ ଶ୍ରୀରାଧା ପାଇଁ ସେ ସରସ୍ବତୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହା ପ୍ରକାଶିତ ହେବା ପରେ ଓଡିଆ କାବ୍ୟ ସାହିତ୍ୟର ଯୁଗାନ୍ତର ଘଟି ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ।

ତେବେ ତାଙ୍କର ଦେହାନ୍ତ ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ହରିବାବୁ କୁମ୍ଭମପତି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଥିଲେ ।