fbpx

ଗରିବ ଓ ଅସହାୟମାନଙ୍କୁ ଆଇନଜୀବୀମାନେ ସହଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ଆହ୍ୱାନ

Advertisement

କଟକ: ଭାରତର ସ୍ୱାଧୀନତା ସଂଗ୍ରାମକୁ ବହୁ ଆଇନଜୀବୀ ନେତୃତ୍ୱ ଦେଉଥିଲେ । ଓଡ଼ିଶାର ମଧୁବାରିଷ୍ଟର ଏହି ମୁକ୍ତ ସଂଗ୍ରାମରେ ଜଣେ ପ୍ରମୁଖ ଯୋଦ୍ଧା ଥିଲେ । ଆଜି କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆଇଜୀବୀମାନେ ଗରିବ ଓ ଅସହାୟମାନଙ୍କୁ ସହଯୋଗ କରନ୍ତୁ । ସମାଜର ସର୍ବନିମ୍ନସ୍ତରରେ ଥିବା ଲୋକଙ୍କୁ ନ୍ୟାୟ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆଇନଜୀବୀମାନେ ନିଜ ରୋଜଗାର କିଛି ଅଂଶ ବିନିଯୋଗ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଗାନ୍ଧିଜୀ ବଡ଼ ଓକିଲ ନ ଥିଲେ, କିନ୍ତୁ ଅସହାୟଙ୍କ ପ୍ରତି ଦରଦୀ ଥିଲେ ବୋଲି ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି । ରାଷ୍ଟ୍ରପତି ଆଜି ଦିନିକିଆ କଟକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ
ଯୋଗଦେଇଥିଲେ। ଏହାପୂର୍ବରୁ ଆଜି ଅପରାହ୍ନରେ କଟକ ଏସ୍‍ସିବି ମେଡିକାଲ କଲେଜ ଆଣ୍ଡ୍‍ ହସ୍‍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି, ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ। ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ଡାକ୍ତରମାନଙ୍କୁ ଭଗବାନ ଭଳି ଦେଖିଥାଆନ୍ତି । କେବଳ ଡାକ୍ତରମାନେ ହିଁ ମଣିଷର ଯନ୍ତ୍ରଣାକୁ ଲାଘବ କରିପାରିବେ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ।

ସେ କହିଛନ୍ତି, ଡାକ୍ତରୀ ବିଜ୍ଞାନରେ ଉଚ୍ଚତର ଗବେଷଣା କରିବା ଡାକ୍ତରମାନଙ୍କର ଲକ୍ଷ୍ୟ ହେବା ଉଚିତ୍‍ । ଅସାଧ୍ୟ ରୋଗରୁ ମୁକ୍ତି ପାଇବା ପାଇଁ ସେମାନେ ସେଭଳି ଔଷଧ ବିକଶିତ କରିବା ଦରକାର ବୋଲି ସେ କହିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି । ୨୦୪୭ରେ ଭାରତ ତା’ର ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବାକୁ ଯାଉଛି । ଏହି ଅବସରରେ ସେ କହିଛନ୍ତି, ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍‍ ଅର୍ଥନୀତିରେ ପରିଣତ ହୋଇଛି । ନିକଟ ଭବିଷ୍ୟତରେ ଭାରତ ତୃତୀୟ ସର୍ବବୃହତ୍‍ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

Get real time updates directly on you device, subscribe now.