fbpx

ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହିବେ, ସରକାରୀ ଶିକ୍ଷକ ଘରୋଇ କୋଚିଂ କରିପାରିବେନି, ଉଚ୍ଚଶିକ୍ଷା ବିଭାଗ ଜାରିକଲା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧିକ ଦୃଢ଼ ଓ ଶୃଙ୍ଖଳିତ ହେବ । ଏନେଇ ଚଳିତ ବର୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ଶିକ୍ଷକ, କଲେଜର କ୍ଲାସ, ସରକାରୀ ଶିକ୍ଷକଙ୍କ ଘରୋଇ କୋଚିଂ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଦି କ୍ଷେତ୍ରରେ ପଦକ୍ଷେପ ନିଆଯିବ । ଚଳିତ ବର୍ଷଠାରୁ ଏହାକୁ କଡ଼ାକଡ଼ି କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସରକାର ସରକାରୀ ଓ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶିକ୍ଷା ବ୍ୟବସ୍ଥାରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଚଳିତ ଶିକ୍ଷାବର୍ଷରୁ ସମସ୍ତ କଲେଜର ଅଧ୍ୟାପକମାନେ ନିର୍ଦ୍ଧାରିତ ସମୟରେ ଶିକ୍ଷାନୁଷ୍ଠାକୁ ଆସିବେ । ଏଥିସହିତ ସେମାନେ ଅତି କମରେ ୭ ଘଣ୍ଟା ଉପସ୍ଥିତ ରହିବେ । ସେମାନଙ୍କର ନିୟମିତ କ୍ଲାସ ବିଷୟରେ କଲେଜର ଅଧ୍ୟକ୍ଷ ସୁନିଶ୍ଚିତ କରାଇବେ । ପ୍ରତ୍ୟେକ ପିଲାଙ୍କ ଉପସ୍ଥାନ ଅତିକମରେ ୭୫ ପ୍ରତିଶତ ରହିବ । ଏହାଠାରୁ କମ୍ ହେଲେ ସେମାନଙ୍କୁ ପରୀକ୍ଷା ପାଇଁ ଅନୁମତି ମିଳିବନି ।

କରୋନା ପାଇଁ ଗତଦୁଇ ବର୍ଷ ହେଲା କଟକଣା କୋହଳ କରାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ କଡ଼ାକଡ଼ି କରାଯିବ । ଶିକ୍ଷକମାନେ ପିଲାମାନଙ୍କ ମେଣ୍ଟର ଭାବେ କାର୍ଯ୍ୟ କରିବେ । ପ୍ରତି ଶିକ୍ଷକଙ୍କ ଅଧିନରେ କିଛି ପିଲାଙ୍କୁ ରଖାଯାଇ ଗ୍ରୁପ୍ ଗଠନ କରାଯିବ । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାଦାନର ଦାୟିତ୍ୱ ମେଣ୍ଟର ଅଧ୍ୟାପକଙ୍କ ଉପରେ ନ୍ୟସ୍ତ ରହିବ । ସରକାରୀ ଅଧ୍ୟାପକ ଘରୋଇ କୋଚିଂରେ ନିୟୋଜିତ ରହିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିପରି ସରକାରୀ ଶିକ୍ଷକ ଓ ଅଣଶିକ୍ଷକଙ୍କ ଅର୍ଥ ଘରୋଇ କୋଚିଂ ପ୍ରତିଷ୍ଠାନରେ ନିୟୋଜିତ ହୋଇଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଗ୍ରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଉଚ୍ଚଶିକ୍ଷା ସଚିବ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଶିକ୍ଷାନୁଷ୍ଠାନ ସୁପରିଚାଳନା ପାଇଁ ୯ ସୂତ୍ରୀ ମାର୍ଗଦର୍ଶିକା ଜାରି କରିଛନ୍ତି ।

Get real time updates directly on you device, subscribe now.