fbpx

କ୍ରିକେଟ ଜଗତରେ ଶୋକର ଛାୟା: ହୃଦଘାତରେ ପ୍ରାଣ ହରାଇଲେ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ସେନ ୱାର୍ଣ୍ଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଜଗତରେ ଖେଳିଯାଇଛି ଶୋକର ଛାୟା । କିମ୍ବଦନ୍ତୀ ଷ୍ଟାର କ୍ରିକେଟର ସେନ ୱାର୍ଣ୍ଣଙ୍କ ହୃଦଘାତରେ ପରଲୋକ ହୋଇଥିବା ନେଇ ସୂଚନା ମିଳିଛି । ସ୍ପିନ ବୋଲିଂର ଯାଦୁଗର କୁହାଯାଉଥିବା ସେନ ୱାର୍ଣ୍ଣ ବିଶ୍ୱ କ୍ରିକେଟରେ ଥିଲେ ଜଣେ ମହାନ ଖେଳାଳି । ୫୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ୧୯୬୯ରେ ଜନ୍ମ ଗ୍ରହଣ କରିଥିବା ସେନ ୱାର୍ଣ୍ଣ ଥାଇଲାଣ୍ଡରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଭିନ୍ନ ଅନ୍ଦାଜରେ ସ୍ପିନ ବୋଲିଂ ପାଇଁ ବିଶ୍ୱ ବିଖ୍ୟାତ ଥିଲେ ସେନ ୱାର୍ଣ୍ଣ ।

ୱାର୍ଣ୍ଣ ୧୯୯୨ରୁ ନିଜର ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବେଳେ ୨୦୦୭ରେ ଅବସର ନେଇଥିଲେ । ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିବା ୱାର୍ଣ୍ଣ ନିଜର ଯାଦୁକରୀ ଲେଗ୍ ସ୍ପିନ ଜରିଆରେ ୭୦୮ଟି ଟେଷ୍ଟ ୱିକେଟ ଅକ୍ତିଆର କରିଛନ୍ତି । ୧୪୫ଟି ଟେଷ୍ଟ ଖେଳିଥିବା ୱାର୍ଣ୍ଣ ୩୧୫୪ ରନ କରିବା ସହିତ ୭୦୮ ୱିକେଟ ନେଇଛନ୍ତି । ଏହା ମଧ୍ୟରେ ୩୭ ଥର ୫ ୱିକେଟ ସଫଳତା ଏବଂ ୧୦ ଥର ୧୦ ୱିକେଟ ସଫଳତା ସାମିଲ ଅଛି । ୧୯୪ଟି ଦିନିକିଆ ମ୍ୟାଚ ଖେଳିଥିବା ୱାର୍ଣ୍ଣ ୧୦୧୮ ରନ କରିବା ସହିତ ୨୯୩ଟି ୱିକେଟ ନେଇଛନ୍ତି । ତେବେ ଦିନିକିଆରେ ମାତ୍ର ଥରେ ୫ ୱିକେଟ ସଫଳତା ହାସଲ କରିଛନ୍ତି । ଆଇପିଏଲର ପଦାର୍ପଣ ସିଜିନରେ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ରହିବା ସହିତ ଦଳକୁ ଚାମ୍ପିୟନ୍ କରାଇଥିଲେ । ସର୍ବଦା ବିବାଦରେ ରହୁଥିବା ୱାର୍ଣ୍ଣ ମହିଳାଙ୍କ ସହିତ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ଥିଲେ । ୧୦୦୦ରୁ ଅଧିକ ମହିଳାଙ୍କ ସହିତ ସେ ଶୋଇଥିବା ନେଇ ଦାବି କରିଥିଲେ ୱାର୍ଣ୍ଣ ।

Get real time updates directly on you device, subscribe now.