fbpx

ଡାକ ବିଭାଗ ପକ୍ଷରୁ ଅଗଷ୍ଟ ପହିଲାରୁ ଅଢେଇ ଅକ୍ଷର ପତ୍ରଲିଖନ ପ୍ରତିଯୋଗିତା

Advertisement

ଭୁବନେଶ୍ୱର: ଭାରତୀୟ ଡାକ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରୀୟ ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ଆୟୋଜନ କରାଯିବ । ଅଗଷ୍ଟ ପହିଲାରୁ ଅକ୍ଟୋବର ୩୧, ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି ‘‘ଡିଜିଟାଲ ଇଣ୍ଡିଆ ଫର୍‌ ନ୍ୟୁ ଇଣ୍ଡିଆ (ନୂତନ ଭାରତ ପାଇଁ ଡିଜିଟାଲ ଭାରତ)’’। ପତ୍ର ଲିଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଲୋକମାନେ ମୁଖ୍ୟ ମହାଡାକପାଳ, ଓଡ଼ିଶା ମଣ୍ଡଳ, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ପତ୍ର ଲେଖି ପଠାଇପାରିବେ ।

ଦୁଇଟି ବୟସ ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯିବ – ୧୮ ବର୍ଷରୁ କମ୍‌ ଏବଂ ୧୮ ବର୍ଷରୁ ଅଧିକ । ସେହିପରି ପ୍ରତିଯୋଗୀମାନେ ଅର୍ନ୍ତଦେଶୀୟ ପତ୍ର କାର୍ଡ ଏବଂ ଲଫାଫା ଭଳି ଦୁଇଟି ବର୍ଗରେ ପତ୍ର ଲେଖି ପ୍ରତିଯୋଗିତା ପାଇଁ ଉପରୋକ୍ତ ଠିକଣାରେ ପଠାଇପାରିବେ। ସାଦା ଏ-ଫୋର୍‌ ଆକାରର କାଗଜରେ ପତ୍ର ଲେଖି ଲଫାପା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇପାରିବେ । ଏହି ବର୍ଗରେ ପତ୍ରର ଶବ୍ଦ ସଂଖ୍ୟା ୧୦୦୦ରୁ ଅଧିକ ହେବା ଉଚିତ୍‌ ନୁହେଁ। ଅନ୍ୟପଟେ ଅନ୍ତର୍ଦେଶୀୟ ପତ୍ର କାର୍ଡ ବର୍ଗରେ ୫୦୦ ଶବ୍ଦ ମଧ୍ୟରେ ପତ୍ର ଲେଖି ପ୍ରତିଯୋଗୀମାନେ ପଠାଇପାରିବେ । କେବଳ ହାତରେ ଲେଖା ହୋଇଥିବା ପତ୍ରକୁ ଗ୍ରହଣ କରାଯିବ, ଟାଇପ୍‌ ହୋଇଥିବା ପତ୍ର ଗ୍ରହଣଯୋଗ୍ୟ ହେବ ନାହିଁ ।

ମଣ୍ଡଳ ସ୍ତରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପାଇଁ ଯଥାକ୍ରମେ ୨୫,୦୦୦, ୧୦,୦୦୦ ଏବଂ ୫,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଅନ୍ୟପଟେ ଜାତୀୟ ସ୍ତରରେ ପ୍ରଥମ ତିନି ପୁରସ୍କାର ବିଜେତାଙ୍କୁ ୫୦,୦୦୦, ୨୫,୦୦୦ ଏବଂ ୧୦,୦୦୦ ଟଙ୍କାର ପୁରସ୍କାର ରାଶିର ବ୍ୟବସ୍ଥା ରହିଛି । ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ସମ୍ପର୍କରେ ଅଧିକ ସୂଚନା ପାଇଁ ନିକଟସ୍ଥ ଡାକ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇପାରିବ ।

Get real time updates directly on you device, subscribe now.