fbpx

ଲିବିୟା ଦେଖିଲା ଶତାବ୍ଦୀର ଭୟଙ୍କର ବିନାଶକାରୀ ବନ୍ୟା, ମୃତ୍ୟୁସଂଖ୍ୟା ୨୦,୦୦୦ ଟପିଥିବା ବେଳେ ସମୁଦ୍ରରେ ଭାସୁଛି କୁଢ କୁଢ ଶବ

ନୂଆଦିଲ୍ଲୀ:ଲିବିୟାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି ତୋଫାନ ଡାନିଏଲ କାରଣରୁ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା । ଏହା ବିଶ୍ୱର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି । ଏହି ବିପର୍ଯ୍ୟୟରେ ୨୦,୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏବେ ଅଧିକାରୀମାନେ ଏହି ବିପର୍ଯ୍ୟୟର ଯାଞ୍ଚ କରାଯାଉ ବୋଲି ଦାବୀ କରିଛନ୍ତି । ଏହା କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଏହା କୌଣସି ମାନବୀୟ ତ୍ରୁଟି କାରଣରୁ ସଂଘଟିତ ହୋଇଛି ସେ ବିଷୟରେ ଯାଞ୍ଚ କରାଯିବାକୁ ଏବେ ଦାବୀ ଉଠୁଛି ।

ରିପୋର୍ଟରୁ ଜଣାପଡିଛି ଯେଉଁମାନେ ଏହି ପ୍ରଳୟରୁ ବଞ୍ଚିଯାଇଛନ୍ତି ସେମାନେ ଏବେ ନିଜ ପ୍ରିୟଜନଙ୍କୁ ଖୋଜିବାରେ ଲାଗି ପଡିଛନ୍ତି । ବନ୍ୟା ଛାଡିଯାଇଥିବା ବେଳେ ଏବେ ବହୁ ସଂଖ୍ୟାରେ ମୃତକଙ୍କ ଶବ ସମୁଦ୍ର କୂଳରୁ ୧୦୦ କିମି ଦୂରରେ ଭାସୁଥିବାର ଦେଖିବାକୁ ମିଳୁଛି ।

୧୦ ସେପ୍ଟେମ୍ବରରେ ଲିବିୟାର ଡର୍ନା ସହରରେ ଯେଉଁ ପ୍ରଳୟ ସୃଷ୍ଟି ହୋଇଥିଲା ତାହାକୁ ପୁରା ବିଶ୍ୱ କେବେ ବି ଭୁଲିପାରିବ ନାହିଁ । ଏଠାରେ ଏକ ଶକ୍ତିଶାଳୀ ତୋଫାନ କାରଣରୁ ଏକ ବିନାଶକାରୀ ବନ୍ୟା ସୃଷ୍ଟି ହୋଇଥିଲା ଯାହା ନିମିଷକ ମଧ୍ୟରେ ପୁରା ସହରକୁ ଗ୍ରାସ କରି ନେଇଥିଲା । ବନ୍ୟା ଜଳ ଏତେ ଭୀଷଣ ମାତ୍ରାରେ ସହର ମଧ୍ୟକୁ ପ୍ରବେଶ କରିଥିଲା ଯେ, ବଡ ବଡ କୋଠା ଓ ତାହା ମଧ୍ୟରେ ରହିଥିବା ପରିବାରକୁ ଭସାଇ ନେଇଥିଲା ।

ମୃତକଙ୍କ ବିଷୟରେ ସୂଚନା ଦେଇ ଡର୍ନା ମେୟର ଅବଦୁଲ ମେନନ ଅଲ୍ ଗେଥୀ କହିଛନ୍ତି, କେବଳ ଡର୍ନା ସହରରେ ମୃତକଙ୍କ ସଂଖ୍ୟା ୧୮,୦୦୦ରୁ ୨୦,୦୦୦ ମଧ୍ୟରେ ରହିଛି । ବନ୍ୟା ଛାଡିଯିବା ପରେ ଏବେ ସ୍ଥଳଭାଗ ଓ ସମୁଦ୍ରରେ ବହୁସଂଖ୍ୟାରେ ଶବ ପଡି ରହିଥିବାରୁ ମହାମାରୀ ଆଶଙ୍କା ସୃଷ୍ଟି ହୋଇଛି ।

ଡର୍ନାରୁ ୧୫୦ କିଲୋମିଟର ଦୂର ଟୋବ୍ରୁକ ସହରରେ ରହୁଥିବା ଜଣେ ଇଂଜିନିୟର ନାସିର ଅଲମନସୋରୀ କହିଛନ୍ତି ତାଙ୍କ ସହର ନିକଟରେ ସମୁଦ୍ରରେ ବନ୍ୟା ପୀଡିତଙ୍କ ଶବ ଭାସୁଛି । ଏହା ବ୍ୟତୀତ ଭୁଷୁଡି ପଡିଥିବା କୋଠା ତଳେ ବି ଲୋକମାନେ ଫସି ରହିଛନ୍ତି । ମହାମାରୀ ରୋକିବାର ଭୟ ଥିବାରୁ ଲିବିୟାର ସ୍ୱାସ୍ଥ୍ୟ ଅଧିକାରୀ ତୀକ୍ଷ୍ଣ ନଜର ରଖିିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ମହାମାରୀ ବ୍ୟାପିବାର ଆଶଙ୍କାକୁ ନେଇ ଚିନ୍ତା ପ୍ରକଟ କରିଛି ।

Get real time updates directly on you device, subscribe now.