ଏଣିକି କେବଳ ସରକାରୀ ଦୋକାନରେ ବିକ୍ରି ହେବ ମଦ: ମଦ ଉପରେ ରିହାତି ଶେଷ

ନୂଆଦିଲ୍ଲୀ: ଏଣିକି କେବଳ ସରକାରୀ ଦୋକାନରେ ବିକ୍ରି ହେବ ମଦ। ସରକାରଙ୍କ ଏହି ଘୋଷଣା ପରେ ମଦ ଦୋକାନ ଆଗରେ ଲାଗିଛି ଗ୍ରାହକଙ୍କ ଭିଡ। ଦିଲ୍ଲୀର ସିମାଠାରୁ ଆରମ୍ଭ କରି ଅଭ୍ୟନ୍ତରିଣ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭିଡ ଦେଖିବାକୁ ମିଳିଥିଲା। ରାଜଧାନୀ ଦିଲ୍ଲୀରେ ଅଗଷ୍ଟ ମାସରୁ କେବଳ ସରକାର ଦୋକାନରେ ମଦ ବିକ୍ରି ହେବ ବୋଲି ଶନିବାର ସରକାର ସୂଚନା ଦେଇଛନ୍ତି।

ମଦ ଦୋକାନ ମାନଙ୍କରେ ଅଚାନକ ଭିଡର କାରଣ ହେଉଛି ରବିବାର ପର୍ଯ୍ୟନ୍ତ ଏବେ ଘରୋଇ ମଦ ଦୋକାନ ମାନଙ୍କୁ ଏବେ ରବିବାର ବେଳକୁ ସମସ୍ତ ଷ୍ଟକ୍ ଶେଷ କରିବାକୁ ପଡିବ। ଯେଉଁ କାରଣରୁ ସେମାନେ ବଢାଚଢା କରି ମଦ ଉପରେ ରିହାତି ପ୍ରଦାନ କରୁଛନ୍ତି। ସେହିପରି ଗ୍ରାହକଙ୍କୁ ମଧ୍ୟ ସୂଚନା ମିଳିଛି ଯେ, ଅଗଷ୍ଟ ପହିଲାରୁ ମଦ ଉପରେ ରିହାତି ଶେଷ ହେବାକୁ ଯାଉଛି। ଯେଉଁଥି ପାଇଁ ଗ୍ରାହକ ଏବେ ମଦ କ୍ରୟ କରି ଷ୍ଟକ୍ କରିବାରେ ଲାଗିଛନ୍ତି।

କହିବାକୁ ଗଲେ, ୧୭ ନଭେମ୍ବର ୨୦୨୧ ରୁ ଆରମ୍ଭ ହୋଇଥିବା ନୂତନ ଏକ୍ସାଇଜ୍ ପଲିସି ଅନୁଯାୟୀ, ଦିଲ୍ଲୀରେ ଷ୍ଟକ୍ ଠାରୁ ମଦ ବିକ୍ରୟ ପର୍ଯ୍ୟନ୍ତ କାର୍ଯ୍ୟ ଘରୋଇ ହାତକୁ ଯାଇଥିଲା। କେବଳ ତଦାରଖ ଏବଂ ଟିକସ ସଂଗ୍ରହରେ ସରକାରଙ୍କ ଭୂମିକା ହ୍ରାସ କରାଯାଇଥିଲା। କିନ୍ତୁ, ନୀତିର ସମସ୍ତ ତ୍ରୁଟି ଦର୍ଶାଇ ଏଲଜିଙ୍କ ଦ୍ୱାରା ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବା ପରେ ବର୍ତ୍ତମାନ ସରକାର ପୁଣି ପୁରୁଣା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଅର୍ଥାତ୍ ଅଗଷ୍ଟ ୧ ତାରିଖରୁ କେବଳ ସରକାରୀ ଦୋକାନରୁ ମଦ ବିକ୍ରି ହେବ।