fbpx

ଶୁଣ…ଶୁଣ…ଶୁଣ.. ନଦୀରେ ମାତିଛି କୁମ୍ଭୀର : ନିଆରା ଢଙ୍ଗରେ କରାଯାଉଛି ସତର୍କ

Advertisement

ରାଜନଗର : ଗତ କିଛିଦିନ ହେବ କୁମ୍ଭୀର ଆକ୍ରମଣରେ ୫ ଜଣଙ୍କ ଜୀବନ ଗଲାଣି । କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଯୋଗୁଁ ଚାରିଆଡେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । କୁମ୍ଭୀର ପ୍ରଜନନ କେନ୍ଦ୍ର ଭିତରକନିକା ଅଞ୍ଚଳରେ ଗୋଟିଏ ବି କୁମ୍ଭୀର ଆକ୍ରମଣ ଘଟଣା ଘଟିନଥିବା ବେଳେ ବାହାରେ ୫ଟି ଜୀବନ ନେଇଯାଇଛି । କୁମ୍ଭୀର ପ୍ରଜନନ ଋତୁରେ କୁମ୍ଭୀରମାନେ ଅଧିକ ଆକ୍ରମଣାତ୍ମକ ହୋଇଥାନ୍ତି । ବର୍ଷାଦିନେ ପାଣିର ମାତ୍ର ବଢିବା ଯୋଗୁଁ କୁମ୍ଭୀରମାନେ ଉପର ମୁଣ୍ଡକୁ ଉଠି ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ନଦୀ ନାଳକୁ ନଯିବା ପାଇଁ ନଦୀ କୂଳିଆ ଗ୍ରାମବାସୀ ମାନଙ୍କୁ ବନବିଭାଗ ତରଫରୁ ସଚେତନ କରାଯାଉଛି । ନଈକୂଳିଆ ଗାଁ ମାନଙ୍କରେ ପ୍ରାଚୀର ପତ୍ର ସହିତ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଓ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଉଛି । କିନ୍ତୁ ଏହା ପରେ ମଧ୍ୟ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଉପରେ ରୋକ ଲଗାଯାଇପାରୁ ନାହିଁ ।

ସୂଚନା ଅନୁସାରେ, ଏବେ ନଦୀ କୂଳେ ରହୁଥିବା ଗ୍ରାମବାସୀମାନଙ୍କୁ ସଚେତନ କରିବା ପାଇଁ ବନବିଭାଗ ଅଧିକାରୀ ଅଭିନବ ପଦକ୍ଷେପ ନେଇଛନ୍ତି । ଡଙ୍ଗାରେ ସଚେତନତା ବ୍ୟାନର ଓ ମାଇକ ବାନ୍ଧି ବନବିଭାଗ ଜଳପଥରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ସଚେତନତା କାର୍ଯ୍ୟକ୍ରମ ହଂସୁଆ ନଦୀ ଠାରୁ ବ୍ରାହ୍ମଣୀ, କାଣି ନଦୀରେ ମଧ୍ୟ କରାଯିବ । ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ବନ ବିଭାଗ ଅଧିକାରୀ ବିଜୟ କୁମାର ପାତ୍ର, ବିଶ୍ୱ ରଞ୍ଚନ ତରାଇ, ନିରୂପମା ଷଡଙ୍ଗୀ, ଗୀତାଞ୍ଜଳି ସାହୁ, ମନୋରଞ୍ଜନ ସାହୁ, ଚନ୍ଦନ କୁମାର ମଲ୍ଲିକ, କଳାକର ବେହେରା, ସଂଜୟ କୁମାର ସେଠୀ ଆଦି ରାଜନଗର ହଂସୁଆ ନଦୀରୁ ବାହାରି କେରେଡାଗଡ, ରାଜପୁର, ବାଲି, ବେଲପାଳ, ନଗଡ, ଓସ୍ତିଆ, ସାହୁପଡା, ନଳଦିଆ, କଳଦିଆ, ଶ୍ରୀରାମପୁର ଦେଇ ମାଣିକପାଟଣାରେ ପହଁଚିଛନ୍ତି ।

ବନକର୍ମଚାରୀମାନେ ପ୍ରତି ଗାଁ ନିକଟରେ ବୋଟ ଲଗାଇ ନଦୀରେ ଗାଧୋଉଥିବା ଲୋକମାନଙ୍କୁ ନଦୀରେ ନଗାଧୋଇବା ପାଇଁ ସଚେତନ କରୁଛନ୍ତି, ଏହାସହ ପ୍ରତି ଗାଁ ନିକଟରେ କୁମ୍ଭୀର ସଚେତନତାର ପୋଷ୍ଟର ମରାଯାଉଛି । କୌଣସି ପରିସ୍ଥିତିରେ ବି ନଦୀରେ ନଗାଧୋଇବା ପାଇଁ ଲୋକମାନଙ୍କୁ ସଚେତନତା କରାଯାଉଛି । ଯେଉଁ ସ୍ଥାନରେ ଗାଧୋଇବା ପାଇଁ ବ୍ୟାରିକେଟ ଅଛି, ସେହି ବ୍ୟାରିକେଟ ମଧ୍ୟରେ ଗାଧୋଇବା ପାଇଁ ଲୋକମାନଙ୍କୁ ସଚେତନତା କରାଯାଉଛି । ଏହି ବୋଟ ଯୋଗେ ସଚେତନତା କାର୍ଯ୍ୟକ୍ରମ ୮ଦିନ ଧରି ଚାଲିବ ବୋଲି ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.