ନୂଆଦିଲ୍ଳୀ: ଦୀର୍ଘ ୧୬ ବର୍ଷର ବ୍ୟବଧାନରେ ଏଫ୍ଏ କପ୍ ଟାଇଟଲ୍ ଜିତି ନେଇଛି ଲିଭରପୁଲ୍ । ଶନିବାର ୱେମ୍ବଲିରେ ଖେଳା ଯାଇଥିବା ମୁକାବିଲାରେ ଲିଭରପୁଲ୍ ୬-୫ର ପେନାଲ୍ଟି ଶୁଟ୍ ଆଉଟରେ ଚେଲସୀକୁ ପରାସ୍ତ କରିଥିଲେ । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ଗୋଲ୍ ଦେଇ ପାରିନଥିଲେ । ଏହାପରେ ମ୍ୟାଚ୍ ଅତିରିକ୍ତ ସମୟକୁ ଯାଇଥିଲା । ଅତିରିକ୍ତ ସମୟରେ ମଧ୍ୟ ଉଭୟ ଦଳ ଗୋଲ ଦେବାରେ ଅସମର୍ଥ ହେବାରୁ ମ୍ୟାଚ୍ ପେନାଲ୍ଟିକୁ ଯାଇଥିଲା ।
ପେନାଲ୍ଟି ଶୁଟ୍ଆଉଟରେ ଜର୍ଗନ କ୍ଲପଙ୍କ ଦଳ କିନ୍ତୁ ବାଜି ମାରି ନେଇଥିଲା । ଅନ୍ତିମ କିକରେ ଗୋଲ ସ୍କୋର କରିବା ସହିତ ଗ୍ରୀସ୍ ମିଡଫିଲ୍ଡର କୋଷ୍ଟାସ ସିମିକାସ୍ ମ୍ୟାଚର ହିରୋ ରହିଥିଲେ । ଏହା ପୂର୍ବରୁ ଲିଭରପୁଲ୍ ଗୋଲକିପର ଆଲିସନ୍ ବେକର ମାସନ ମାଉଣ୍ଟଙ୍କ ଉଦ୍ୟମକୁ ବିଫଳ କରି ଦେଇଥିଲେ । ତେବେ ନିର୍ଣ୍ଣାୟକ ଗୋଲ୍ ସହିତ ମ୍ୟାଚର ହିରୋ ସାଜିଥିଲେ ସିମିକାସ୍ ।
ଏହି ବିଜୟ ସହିତ ଚଳିତ ସିଜିନରେ ନିଜର ଦ୍ୱିତୀୟ ପେନାଲ୍ଟି ଶୁଟଆଉଟ ବିଜୟ ହାସଲ କରିଛି ଲିଭରପୁଲ୍ । ଉଭୟ ବିଜୟ ଚେଲସୀ ବିପକ୍ଷରେ ହିଁ ଦଳ ହାସଲ କରିଛି । ପ୍ରଥମ ଇଂଲିଶ କ୍ଲବ୍ ଭାବରେ ଗୋଟିଏ ସିଜିନରେ ୪ଟି ମେଜର ଟାଇଟଲ ହାସଲର ଲକ୍ଷ୍ୟ ରଖିଛି ଲିଭରପୁଲ୍ । ଏଫ୍ଏ କପକୁ ମିଶାଇ ଦଳ ୨ଟି ଟାଇଟଲ ହାସଲ କରି ସାରିଥିବା ବେଳେ ପ୍ରିମିୟର୍ ଲିଗ୍ ଟେବଲରେ ଦଳ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ମେ ୨୮ ତାରିଖରେ ଦଳ ରିୟଲ୍ ମାଦ୍ରିଦ୍ ବିପକ୍ଷରେ ଚାମ୍ପିୟନ୍ସ ଲିଗ୍ ମୁକାବିଲା ଖେଳିବ ।