fbpx

ଜୁନ୍ ପହିଲା ଯାଏ ଲକଡାଉନ୍, ବଢ଼ିଲା ଗରିବଙ୍କ ଦୁଃଖ ବୋଝ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀକୁ ନେଇ ଭୟ ଓ ଚିନ୍ତା ଥମିବାର ନାଁ ଧରୁନି । ସଂକ୍ରମଣ ବଢ଼ିବାକୁ ଆଖି ଆଗରେ ରଖି ସରକାର କଟକଣାକୁ କଡ଼ାକଡ଼ି କରୁଛନ୍ତି । ଏହି କ୍ରମରେ ରାଜ୍ୟରେ ପୁଣି ୨ ସପ୍ତାହ ବଢ଼ିଛି ଲକଡାଉନ୍ । ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ସୂଚନା ଦେଇଛନ୍ତି । ତେବେ ଲକ୍ଡାଉନ୍ ବଢ଼ିବା ପରେ ସାଧାରଣ ଗରିବ ଓ ଖଟିଖିଆଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି । ଜୀବନ ଓ ଜୀବିକାକୁ ନେଇ ଉପାୟ ପାଉନାହାନ୍ତି ଲୋକେ । ସେପଟେ କରୋନା ଆତଙ୍କକୁ ଏପଟେ ବଞ୍ôଚବା ପାଇଁ ଅନ୍ନ ଚିନ୍ତାରେ ଲୋକେ କଲବଲ ହୋଇଗଲେଣି ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁସାରେ, କରୋନା ସଂକ୍ରମଣକୁ ପ୍ରତିହତ କରିବା ଓ ଭୂତାଣୁ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି । ତେଣୁ ଜନସାଧାରଣ ସହଯୋଗ କରିବା ସହିତ ଆସନ୍ତା ଦୁଇ ସପ୍ତାହ ଅଧିକ ସତର୍କ ରହିବାକୁ କହିଛନ୍ତି । ଏଥିସହ କୋଭିଡ୍ କଟକଣାର ସମସ୍ତ ନିୟମ ନିଶ୍ଚିତ ପାଳନ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାର । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତ ସାନିଟାଇଜ୍ କରିବା ସହ ଭଲ ଭାବେ ଧୋଇବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୨ ସପ୍ତାହ ଆମ ରାଜ୍ୟ ଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ମଧ୍ୟରେ ସଂକ୍ରମଣକୁ ଆହୁରି ପ୍ରତିହତ କରିହେବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷରେ ଦିନ ମଜୁରିଆ, ଖଟିଖିଆ, ରାସ୍ତାକଡ଼ରେ କିଛି ବିକ୍ରିବଟା କରି ଗୁଜୁରାଣ ମେଣ୍ଟାଉଥିବା ଲୋକେ ରୋଜଗାର ଚିନ୍ତାରେ ପଡ଼ି କଲବଲ ହେଉଛନ୍ତି । କେମିତି ମୁଠେ ଖାଇବୁ ଓ ପରିବାର ଚଳାଇବୁ ବୋଲି ଅନେକ ବସ୍ତିବାସିନ୍ଦା କୋହଭରା ହୋଇ କହିଛନ୍ତି । ସରକାରଙ୍କ ତରଫରୁ କିଛି ନିର୍ଦ୍ଦିଷ୍ଟ ସେବା-ସୁବିଧା ବା ଆର୍ôଥକ ସହାୟତା ଦେବାକୁ ଅନେକ ମହଲରେ ଦାବି ହେଉଛି ।

Get real time updates directly on you device, subscribe now.