fbpx

ପ୍ରଚଣ୍ଡ ତାତିରେ ବେହାଲ ଏହି ଦେଶର ଅବସ୍ଥା; ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ କାର୍ଯାଳୟ ସବୁ ବନ୍ଦ

Advertisement

ନୂଆଦିଲ୍ଲୀ: ଗୋଟିଏ ପୃଥିବୀରେ ସମସ୍ତ ମାନବ ଜାତି ବସବାସ କରୁଛୁ । କିନ୍ତୁ ଗୋଟିଏ ଛାତ ତଳେ ଥିଲେ ବି ସମସ୍ତେ ସମାନ ପରିସ୍ଥିତି ଦେଇ ଗତି କରୁନାହାନ୍ତି । ଭୌଗଳିକ ସ୍ଥିତି ଅନୁଯାୟୀ ବିଭିନ୍ନ  ସ୍ଥାନରେ ଅଲଗା ଅଲଗା ଜଳବାୟୁ ଅନୁଭୂତ ହୋଇଥାଏ । ଏଇ ଯେପରି ଭାରତର ଏବେ ବର୍ଷା ଋତୁ ଚାଲିଥିବା ବେଳେ ଇରାନରେ ଏବେ ଏତେମାତ୍ରାରେ ତାତି ଅନୁଭୂତ ହେଉଛି ଯେ, ସେଠାରେ ସରକାର ଲକଡାଉନ ଲଗାଇବାକୁ ବାଧ୍ୟ ହୋଇଛନ୍ତି ।

ଦେଶରେ ଏବେ ତାପମାତ୍ରା ଏତେ ଅଧିକ ରହିଛି ଯେ, ଦୁଇ ଦିନ ପର୍ଯ୍ୟନ୍ତ ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି । ବୁଧବାର ଓ ଗୁରୁବାର ଏହି ଦୁଇ ଦିନ ପାଇଁ ଦେଶରେ ସମସ୍ତ ସ୍କୁଲ, କଲେଜ , ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ସରକାରୀ ସୂତ୍ରରୁ ଜଣାପଡିଛି ଭୀଷଣ ଗରମ କାରଣରୁ ଏଠାରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡୁଛି । ଏହା ସହିତ ଦେଶରେ ବିଜୁଳି ଶକ୍ତିର ଅଭାବ ଦେଖାଦେଇଥିବାରୁ ବାରମ୍ବାର ବିଦ୍ୟୁତ କାଟ ମଧ୍ୟ ହେଉଛି ।

ଇରାନର ଦକ୍ଷିଣ ସହରରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଯାଇଛି । ଗତକାଲି ତେହେରାନ ସହିତ ବହୁ ବଡ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଥିଲା । ଆଗାମୀ ଦିନରେ ଉତ୍ତାପ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏହାକୁ ନଜରରେ ରଖି ସରକାର ସାରା ଦେଶରେ ଦୁଇ ଦିନିଆ ବନ୍ଦ ଘୋଷଣା କରିଛନ୍ତି ।

ଇରାନରେ ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ବର୍ଷା ଋତୁ ରହିଥାଏ । ମେ’ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ଏଠାରେ ଗରମ ଅନୁଭୂତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ବହୁତ ଅଧିକ ଗରମ ଅନୁଭୂତ ହେଉଛି । ଇରାନରେ ଗ୍ରୀଷ୍ମ ସମୟରେ ତାପମାତ୍ରା ୨୬ରୁ ୩୨ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ହେଲେ ୩୫ ଡିଗ୍ରୀ ରହିଥାଏ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଚଳିତ ବର୍ଷ ଚୀନ୍, ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ୟୁରୋପର ବିଭିନ୍ନ ଅଞ୍ଚଳରେ ଭୀଷଣ ଗରମ ଅନୁଭୂତ ହେଉଛି । ଏଠାରେ ସାଧାରଣତଃ ଥଣ୍ଡା ଦିନ ଅଧିକ ସମୟ ରହିଥାଏ ଓ ଗରମ ଦିନ କମ୍ ଅନୁଭୂତ ହୋଇଥାଏ ।

Get real time updates directly on you device, subscribe now.