fbpx

ଓଡ଼ିଶାକୁ ଫେରିବ ଲକଡାଉନ୍!!! ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): ପଡ଼ୋଶୀ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ନିକଟରେ କେରଳ, ମହାରାଷ୍ଟ୍ର ଓ ଛତିଶଗଡ଼ରେ କରୋନାର ପ୍ରାଦୃର୍ଭାବ ବୃଦ୍ଧି ପାଇଛି । କୋଭିଡ୍ ନିୟମକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ଗଣଶିକ୍ଷା ବିଭାଗ ଆଗୁଆ ସତର୍କତା ଅବଲମ୍ବନ କରିଛି । ସବୁ ସ୍କୁଲରେ ଏସପି ପାଳନ ସହ ନିୟମ କଡ଼ାକଡ଼ି କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ କର୍ଣ୍ଣାଟକ ସରକାର ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଥିଲେ । ମହାରାଷ୍ଟ୍ର ସରକାର ମଧ୍ୟ ଲକଡାଉନ୍ ଜାରି କରିଥିଲେ । ସ୍କୁଲ ମାନଙ୍କରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ନେଇ ସଚେତନ କରାଇବାକୁ ଅଧିକାରୀଙ୍କୁ କୁହାଯାଇଛି । ଓଡ଼ିଶାରେ ବର୍ତ୍ତମାନ ପରିସ୍ଥିତି ସେପରି ଜଟିଳ ହୋଇନଥିଲେ ହେଁ ପ୍ରଶାସନ ଆଗୁଆ ସତର୍କ ହୋଇଯାଇଛି ।

ଅନ୍ୟ ରାଜ୍ୟକୁ ଲକଡାଉନ ଫେରିଥିବାରୁ ଓଡ଼ିଶାରେ ଲକଡାଉନର ପୁନରାବୃତ୍ତିକୁ ଏଡ଼ାଇ ଦେଇ ହେବ ନାହିଁ । ତେଣୁ ସେଥିପ୍ରତି ଜନସାଧାରଣ ସଚେତନ ରହିବାକୁ କୁହାଯାଇଛି । ଆଜିଠାରୁ ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ନିୟମ ନ ମାନିଲେ ଫାଇନ ଦେବା ସହ ଜେଲ ଯିବାକୁ ପଡ଼ିବ ବୋଲି କୁହାଯାଇଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକମାନଙ୍କରେ ଲୋକମାନଙ୍କର ଅସମ୍ଭାଳ ଭିଡ଼ ଜମୁଛି । ତେଣୁ ଗଳିକନ୍ଦିରେ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ପାଇଁ ‘ସୋସିଆଲ୍ ଡିଷ୍ଟାନ୍ସ ଏନଫୋର୍ସମେଣ୍ଟ ସ୍କ୍ୱାଡ’ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରବାସୀ ସଚେତନ ନହେଲେ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.