fbpx

ପଡ଼ୋଶୀ ରାଜ୍ୟକୁ ଫେରିଲା ଲକଡାଉନ୍: ଓଡ଼ିଶା ପାଇଁ ସତର୍କ ଘଣ୍ଟି, ଚିନ୍ତାବ୍ୟକ୍ତ କଲେ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିଥିବା ବେଳେ ଅନେକ ସମୟରେ ୫ ଶହ ଅତିକ୍ରମ କରିଯାଉଛି । ତେବେ ଗତ ୧୪ ଦିନ ମଧ୍ୟରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ହଜାର ଉପରେ ସ୍ଥିର ରହିଛି । ସମଗ୍ର ଭାରତବର୍ଷରେ ଚିକିତ୍ସାଧୀନ ରୋଗୀଙ୍କ କ୍ଷେତ୍ରରେ ରାଜ୍ୟ ୬ ନମ୍ବର ସ୍ଥାନରେ ରହିଛି । ବର୍ତ୍ତମାନ ଦ୍ୱିତୀୟ ଲହର ସମାପ୍ତ ହୋଇନଥିବା ବେଳେ ଏହି ଅବସରରେ ପାର୍ବଣ ଋତୁ ଆସିଯାଇଛି । ଫଳରେ ଲୋକମାନେ କରୋନା କଟକଣାକୁ ନ ମାନି ପୂର୍ବପରି ପୁଣି ବଜାର ହାଟରେ ଭିଡ଼ ଜମାଇଲେଣି । ତେଣୁ ଲୋକଙ୍କ ଏପରି ମନୋଭାବ ସଂକ୍ରମଣକୁ ବଢ଼ାଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ତେବେ ନିକଟରେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଅଧୀନରେ ଥିବା ସୋନାରପୁରରେ ସଂକ୍ରମଣ ବୃଦ୍ଧି ହେତୁ ଲକଡାଉନ୍ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳରେ ୧୯ଟି କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ତେବେ ନିକଟରେ ଦଶହରା ସମୟରେ ଲୋକମାନେ ମଣ୍ଡପ ନିକଟରେ ଯେପରି ଭାବେ ଭିଡ଼ ଜମାଇଥିଲେ, ଏହା ତା’ର କୁପ୍ରଭାବ ବୋଲି କୁହାଯାଉଛି । ତେବେ ପଡ଼ୋଶୀ ରାଜ୍ୟର ଏପରି ଅବସ୍ଥା ହୋଇଥିବାରୁ ଓଡ଼ିଶା ସୀମାନ୍ତ ଜିଲ୍ଲାଗୁଡ଼ିକ ପାଇଁ ଏବେ ସତର୍କ ଘଣ୍ଟି ସଦୃଶ ହୋଇଛି । ତେବେ ବର୍ତ୍ତମାନ ଟ୍ରେନ୍, ବିମାନ ଚଳାଚଳ ଆରମ୍ଭ ହୋଇସାରିଥିବାରୁ ସଂକ୍ରମଣ ବୃଦ୍ଧିକୁ ଏଡ଼ାଇ ଦେଇ ହେବନାହିଁ । ଲୋକମାନେ ରାଜ୍ୟରେ ଏବେ ସତେଯେପରି କରୋନାକୁ ସମ୍ପୂର୍ଣ୍ଣ ଭୁଲି ସାରିଲେଣି । ଏହି ସାମାନ୍ୟ ଭୁଲ୍ ଆଗକୁ ବଡ଼ ଅଘଟଣ ଘଟାଇପାରେ । ତେବେ ଲୋକମାନେ ପୂର୍ବ ଭଳି ଆଉ ପରୀକ୍ଷା ପାଇଁ ଆସୁନଥିବା ବେଳେ ଜାଲ୍ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଖବର ସାମନାକୁ ଆସିଛି । ଏହା ରାଜ୍ୟ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.