ନୂଆଦିଲ୍ଲୀ: ବୁଧବାର ସଂସଦରେ ଶୀତକାଳୀନ ଅଧିବେଶନ ଚାଲୁଥିବା ସମୟରେ ୨ ଜଣ ଅଜଣା ବ୍ୟକ୍ତି ହଠାତ୍ ଗୃହ ମଧ୍ୟଭାଗକୁ ଚାଲିଆସି ହଙ୍ଗାମା କରିଥିଲେ । ଏହା ଦେଖି ଗୃହରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ୨ ଜଣ ସନ୍ଦିଗ୍ଧ ଗୃହ ମଧ୍ୟଭାଗକୁ କୁଦିପଡି ଏକ କଲର ଗ୍ୟାସ୍ ସ୍ପ୍ରେ କରିଥିଲେ । ଘଟଣା ସମୟରେ ସଂସଦରେ ଉପସ୍ଥିତ ଥିବା ସଦସ୍ୟ ମାନେ ସେମାନଙ୍କୁ କାବୁ କରି ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ଏହା ପରେ ସେମାନଙ୍କ ସହ ସମ୍ପୃକ୍ତ ଥାଇ ଜଣେ ମହିଳା ଓ ଜଣେ ଯୁବକ ବାହାରେ ବିକ୍ଷୋଭ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ଘଟଣାରେ ୬ ଜଣକ ସମ୍ପୃକ୍ତି ଥିବା ଜଣାପଡିବା ପରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ଅନ୍ୟ ମାନଙ୍କ ସନ୍ଧାନରେ ରହିଛି ପୋଲିସ। ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳି ସାରିଥିବା ବେଳେ ଜଣଙ୍କ ପରିଚୟ ମିଳିନାହିଁ । ମହାରାଷ୍ଟ୍ର ଲାତୁରର ଅମୋଲ ଶିନ୍ଦେ, ହରିୟାଣାର ନୀଲମ୍, ୟୁପିର ଲକ୍ଷ୍ନୌର ସାଗର ଶର୍ମା ପ୍ରମୁଖ ଗିରଫ ହୋଇଥିବା ଜଣାପଡିଛି । ପୋଲିସ ଏବେ ସମସ୍ତଙ୍କୁ ପଚରାଉଚରା କରୁଛି।
ତେବେ ସଂସଦ ଭିତରେ ପଶି ସ୍ପ୍ରେ ମାଡ଼ କରିଥିବା ଯୁବକଙ୍କୁ ନେଇ ଅଧିକ ଚର୍ଚ୍ଚା ଦେଖିବାକୁ ମିଳୁଛି। ଏହି ଯୁବକ ଜଣଙ୍କ ୟୁପିରର ସାଗର ଶର୍ମା ବୋଲି ଜଣାପଡିଛି । ଯାହାଙ୍କ ବିଷୟରେ ଅଧିକ ଖୋଳତାଡ଼ କରାଯାଉଛି। ସାଗର ଶର୍ମାଙ୍କ ବିଷୟରେ କହିଲେ ସେ ଜଣେ ଇ-ରିକ୍ସା ଚାଳକ। ଏହାପୂର୍ବରୁ ସେ ବେଙ୍ଗାଲୁରୁରେ ରହୁଥିଲେ। ସେଠାରୁ ସେ ୩ ମାସ ପୂର୍ବେ ଆସିଥିଲେ। କିଛି କାମ ନ ମିଳିବାରୁ ଇ-ରିକ୍ସା ଚଳାଇ ଗୁଜରାଣ ମେଣ୍ଟାଉଥିଲେ। ତାଙ୍କ ବାପା ବୃତ୍ତିରେ ଜଣେ ବଢ଼େଇ ହୋଇଥିବା ବେଳେ ତାଙ୍କ ପରିବାରରେ ୪ଜଣ ସଦସ୍ୟ ଅଛନ୍ତି। ପ୍ରଥମେ ପୂରା ପରିବାର ଦିଲ୍ଲୀରେ ରହୁଥିବା ବେଳେ ଏବେ ୧୫ ବର୍ଷ ହେବ ରାମନଗରରେ ରହୁଛନ୍ତି। ସାଗରଙ୍କ ପରିବାର ଏକ ମଧ୍ୟବିତ୍ତ ଶ୍ରେଣୀର। ସାଗର ଜଣେ ସାଧାସିଧା ଯୁବକ ହୋଇଥିବା ବେଳେ ଏଭଳି କାଣ୍ଡ କେଉଁ କାରଣରୁ ଘଟାଇଛନ୍ତି ତାହାକୁ ସେମାନେ ବିଶ୍ୱାସ କରିପାରୁ ନ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି।
ଏଠାରେ କହି ରଖୁଛୁ ଯେ, ଗୃହରେ ୨ ଯୁବକ କଲର ସ୍ମୋକ୍ ସ୍ପ୍ରେ କରିଥିଲେ । ଏହା ଏକ ସ୍ୱତନ୍ତ୍ର ଉପାୟରେ ପ୍ରସ୍ତୁତ କରାଯାଇଥାଏ । ଯେଉଁଥିରେ ଏକ ଅକ୍ସିଡାଇଜର (ପୋଟାସିୟମ ନାଇଟ୍ରେଟ୍, KNO3), ଏକ ଇନ୍ଧନ(ଚିନି), ଏକ ମଡରେଟର(ଯେପରିକି ସୋଡିୟମ ବାଇକାର୍ବୋନେଟ୍) ରହିଥାଏ । ଏଥିରେ ଜୀବନ ପ୍ରତି କୌଣସି ବିପଦ ନ ଥାଏ । ତେବେ ସଂସଦରେ ସୁରକ୍ଷାବଳୟ ଭଙ୍ଗ ହୋଇଥିବା ବେଳେ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ ।