fbpx

ଜୋତା ଷ୍ଟାଣ୍ଡରେ ଚାବି ରଖି ଯାଇଥିଲେ ମର୍ଣ୍ଣିଂୱାକ୍‌, ଫେରିଲା ବେଳକୁ ଘରେ କଳାକନା ବୁଲାଇଦେଇଛି ଚୋର

ଭୁବନେଶ୍ବର(ଓଡ଼ିଶା ଭାସ୍କର): ମର୍ଣ୍ଣିଂୱାକ୍‌ ଯିବା ପାଇଁ ଘରର ମୁଖ୍ୟ କବାଟରେ ତାଲା ପକାଇ । ହେଲେ ଚାବିକୁ ସାଙ୍ଗରେ ନ ନେଇ ଜୋତା ଷ୍ଟାଣ୍ଡରେ ଲୁଚାଇ ରଖିଦେଲେ । କିନ୍ତୁ ଚୋର ଏହା ଉପରେ ନଜର ରଖିଥିବା ସେ ଜାଣିନଥିଲେ । ମର୍ଣ୍ଣିଙ୍ଗ ୱାକ ଯିବାର କିଛି ସମୟ ପରେ ଲୁଚିଥିବା ଚୋର ଜୋତା ଷ୍ଟାଣ୍ଡରୁ ଚାବି ନେଇ ଘରେ କଳାକନା ବୁଲାଇଦେଇଛି । ଚୋରଟି ଘର ଭିତରେ ପଶି ୬୫ ହଜାର ଟଙ୍କା ଧରି ଛୁ’ ମାରିଛି । ଏପରି ଏକ ଘଟଣା ଘଟିଛି ତମାଣ୍ଡୋ ଥାନା କଳିଙ୍ଗବିହାର ଅଞ୍ଚଳରେ । ଘର ଚାବି ସାଙ୍ଗରେ ନ ନେଇ ମର୍ଣ୍ଣିଂୱାକ୍‌କୁ ଯିବା ଏବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଏଠାରେ କହିରଖିବାକୁ ଚାହିଁବି ଯେ କେବଳ ଏହି ବ୍ୟକ୍ତି ନୁହନ୍ତି ବରଂ ଅନେକ ଲୋକ ଏପରି କରିଥାନ୍ତି ।

ସୂଚନା ଅନୁସାରେ, କଳିଙ୍ଗବିହାର କେ-୪ ସ୍ଥିତ ୧୦୪୯ନଂ ପ୍ଲଟରେ ରହୁଥିବା ସୌମ୍ୟରଞ୍ଜନ ଜେନା ଶୁକ୍ରବାର ଦିନ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍‌ରେ ବାହାରିଥିଲେ । କବାଟ ଚାବି ପକାଇ ଘର ଅଗଣାରେ ଥିବା ଜୋତା ଷ୍ଟାଣ୍ଡରେ ଚାବିକୁ ଲୁଚାଇ ଚାଲିଗଲେ। ପ୍ରାୟ ଘଣ୍ଟାଏ ପରେ ସେ ଫେରିବା ବେଳକୁ କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ । ତରବର ହୋଇ ସେ ଜୋତା ଷ୍ଟାଣ୍ଡ ଦରାଣ୍ଡିବା ବେଳକୁ ଚାବି ନଥିଲା । ପରେ ସେ ଜାଣିଲେ ଯେ କେହି ଦୁର୍ବୃତ୍ତ ୬୫ହଜାର ଟଙ୍କା ଲୁଟି ନେଇଛି ।

ଚୋରଟି ଖୁବ ଚାଲାକର ସହିତ ସୌମ୍ୟଙ୍କ ଘରେ ପଶିବା ପୂର୍ବରୁ ପଡ଼ୋଶୀଙ୍କ ଘରର କବାଟକୁ ବାହାର ପଟରୁ ବନ୍ଦ କରିଦେଇଥିଲା । ତେବେ ପଡ଼ୋଶୀ ଜଣକ ଅନ୍ୟ ଜଣକୁ ଡାକି କବାଟ ଖୋଲାଇଥିଲେ। କିନ୍ତୁ କିଏ ଏଭଳି କରିଛି ବୋଲି ସେ ବୁଝିପାରିନଥିଲେ। ଅଭିଯୋଗ ପାଇବା ପରେ ତମାଣ୍ଡୋ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରୁଛି।

Get real time updates directly on you device, subscribe now.