fbpx

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ, ଟାଣ ଖରାରେ ବାହାରକୁ ନଯିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

Advertisement

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ରାତି ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଗତକାଲି ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ପରେ ଗଭୀର ଅବପାତର ରୂପ ନେଇଛି। ବାତ୍ୟାରେ ପରିଣତ ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ଓ ପରେ ଅତିଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

ଏହା ପ୍ରଥମେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରେ ବାଂଲାଦେଶ ଓ ମିଆଁମାର ଆଡକୁ ଅଗ୍ରସର ହେବ। ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅଂଶୁଘାତ ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଟାଣ ଖରାକୁ ନ ଯିବାକୁ କୁହାଯାଇଛି। ସେହିଭଳି ବାହାରକୁ ଯିବାକୁ ଥିଲେ ଯଥେଷ୍ଟ ପାଣି ପିଇବା ସହ ପାଣି ବୋତଲ ଓ ଛତା ସାଥିରେ ନେବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ସରକାରୀ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ପାଇଁ ନିଶୁକ୍ଳ ଚିକିତ୍ସା ସେବା ଉପଲବ୍ଧ ରହିଛି। ଅଧିକ ସୂଚନା ପାଇଁ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ ଯୋଗାଯୋଗ କରାଯାଇପାରିବ।

Get real time updates directly on you device, subscribe now.