fbpx
BSKY SKY
BSKY SKY

୧୪ରେ ଘୂର୍ଣ୍ଣିବଳୟ, ୧୫ରେ ଲଘୁଚାପ: ରାଜ୍ୟର ଏହି ଅଞ୍ଚଳରେ ହୋଇପାରେ ପ୍ରବଳ ବର୍ଷା

BSKY

ଭୁବନେଶ୍ୱର: ଚଳିତ ମାସ ୧୪ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହା ୧୫ରେ ଲଘୁଚାପର ରୂପ ନେଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଦିଗ ବଦଳାଇ ୧୬ ସୁଦ୍ଧା ଉତ୍ତର ଦିଗକୁ ମୁହାଁଇପାରେ ।

ଏହା ପ୍ରଭାବରେ ୧୫ରୁ ଦକ୍ଷିଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୬ ତାରିଖ ରାତିରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ଏବେ ଶୀତ ବଢ଼ିଛି । ଆସନ୍ତା ୧୪ ଯାଏ ପାଗ ଶୁଖିଲା ରହିବ । ୧୬ରୁ ୧୮ ତାରିଖ ଭିତରେ ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଢେଙ୍କାନାଳ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ ।

ଏପଟେ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲାସଙ୍କ ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଟ୍ରିପକାଲ ଡେଭଲପମେଣ୍ଟର ସମ୍ଭାବନା ରହିଛି । ପୂର୍ବ ଭାରତରୁ ବାଙ୍ଗଲାଦେଶ ଯାଏ ଏହାର ପ୍ରଭାବ ପଡ଼ିପାରେ ।

ଅନ୍ୟପଟେ ରାଜ୍ୟରେ ନିଅଣ୍ଟିଆ ବର୍ଷା କାରଣରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଉପକୂଳବର୍ତ୍ତୀ ଜିଲ୍ଲା ହେଉ କି ଅନ୍ୟ ସ୍ଥାନ ପ୍ରାୟ ସବୁଆଡେ ବର୍ଷାର ଅଭାବ ଦେଖିବାକୁ ମିଳୁଛି । ଯାହା ଫଳରେ ମରୁଡି ସମ୍ଭାବନା ଦେଖାଗଲାଣି । ବର୍ଷା ଅଭାବରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ବର୍ଷା ନହେଲେ ଚାଷ ସବୁ ଉଜୁଡିଯିବ । ରାଜ୍ୟରେ ଏବେ ବର୍ଷା ନିତାନ୍ତ ଆବଶ୍ୟକତା ହୋଇପଡିଥିବା ବେଳେ ଲଘୁଚାପ ଖବର ସାମାନ୍ୟ ଆଶ୍ବସ୍ତି ଦେଇଛି । ଯାହାଫଳରେ ଚାଷ ଏବଂ ଚାଷୀ ଉଭୟ ଖୁସି ହୋଇପାରିବେ ।

Get real time updates directly on you device, subscribe now.