fbpx
BSKY SKY
BSKY SKY

ଭୁବନେଶ୍ୱର ମାର୍କେଟରେ ବଢ଼ୁଛି ଖରାପ ସସର ଚାହିଦା, ବେପାର ବଢ଼ାଇବା ପାଇଁ ଲୋକଙ୍କୁ ଠକି ଚାଲିଛନ୍ତି ଫାଷ୍ଟଫୁଡ ଦୋକାନୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ବଜାର, ହାଟରେ ଥିବା ସମସ୍ତ ଖାଦ୍ୟ ପଦାର୍ଥ ପୂରା ଭେଜାଲ । ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦିରେ ବହୁମାତ୍ରାରେ ଫାଷ୍ଟଫୁଡ୍ ଦେକାନ ରହିଛି । ଅଧିକାଂଶ ଦୋକାନୀମାନେ ଗ୍ରାହକଙ୍କୁ ନିମ୍ନମାନର ସସ୍ ଦେଉଥିବା ଜଣାପଡ଼ିଛି । ପାଟିକୁ ଖାଇବାକୁ ସୁଆଦିଆ ଲାଗୁଥିବାରୁ ଲୋକମାନେ ବାରମ୍ବାର ସସ୍ ମାଗି ଖାଇଥାନ୍ତି । ତେବେ ଏହି ଶସ୍ତା ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ରୋଗାକ୍ରାନ୍ତ ହେଉଛି ବୋଲି କେହି ହୁଏତ ଜାଣିନଥାନ୍ତି ।

ଫାଷ୍ଟଫୁଡ୍ ଆଜି ଦୈନନ୍ଦିନ ଜୀବନର ମୁଖ୍ୟ ଖାଦ୍ୟ ଭାବେ ପରିଗଣିତ ହୋଇଗଲାଣି । ରାସ୍ତାକଡ଼ର ଫାଷ୍ଟଫୁଡ ଦୋକାନରେ ବିକ୍ରି ହେଉଥିବା ଟମାଟୋ ସସ୍, ସୋୟା ସସ, ଚିଲି ସସ୍ କେତେ ନିମ୍ନମାନର ତାହା କେହି ବୁଝୁନାହାନ୍ତି । ବଜାରରେ ମିଳୁଥିବା ବ୍ରାଣ୍ଡେଡ କମ୍ପାନୀର ସସର ଦାମ ପାଖାପାଖି ୧୦୦ ଟଙ୍କା ରହିଥିବା ବେଳେ ଫାଷ୍ଟଫୁଡ ଦୋକାନୀମାନେ କିନ୍ତୁ ମାତ୍ର ୨୦ ଟଙ୍କିଆ ସସ୍ ଗ୍ରାହକଙ୍କୁ ଦେଉଛନ୍ତି ।

ଉକ୍ତ ସସରେ ଅଧିକ ମାତ୍ରାରେ କଖାରୁ, ପାଣି କଖାରୁ, ଅମୃତଭଣ୍ଡା, ବିଭିନ୍ନ ପ୍ରକାରର କେମିକାଲଯୁକ୍ତ ଏସେନ୍ସ ମିଶା ଯାଇଥାଏ । ଏଥିସହ ସସକୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ସେଥିରେ ଭିନେଗାର ଭଳି ବିଷାକ୍ତ କେମିକାଲ ମଧ୍ୟ ମିଶାଯାଏ । ଏହାଦ୍ୱାରା ସଙ୍ଗେସଙ୍ଗେ ସାଇଡ୍ ଇଫେକ୍ଟ ନହୋଇ ଧୀରେଧୀରେ ପେଟ ରୋଗ ସୃଷ୍ଟି କରିଥାଏ । ପୂର୍ବରୁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କିଛି ଦୋକାନରେ ମଧ୍ୟ ଚଢ଼ାଉ ହୋଇଥିଲା ।

ଅନେକ ବେପାରୀ ନାମୀ କମ୍ପାନୀର ଲୋଗୋ ଲଗାଇ ଖରାପ ସସ୍ ବିକ୍ରି କରୁଛନ୍ତି । ଗ୍ରାହକଙ୍କୁ ଭଲ ସସ୍ ଦେଲେ ଖାଇବା ଦାମ୍ ବଢ଼ାଇବାକୁ ପଡ଼ିବ । ଫଳରେ ବେପାର ମାନ୍ଦା ହୋଇଯିବ ବୋଲି କିଛି ବେପାରୀ କହିଛନ୍ତି । ଏନେଇ ଯେତେବେଳେ କିଛି ଅଭିଯୋଗ ଆସୁଛି ତାହାର ନମୂନା ଲ୍ୟାବକୁ ପଠାଯାଉଛି । ଖରାପ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ସୁରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.