ଲୋକବନ୍ଧୁ ମେଡିକାଲରେ ନିଆଁ: ଜଣେ ରୋଗୀ ମୃତ, ଜାଣନ୍ତୁ ଏବେ କିପରି ରହିଛି ସ୍ଥିତି ?

ନୂଆଦିଲ୍ଲୀ: ସୋମବାର ରାତିରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଲୋକବନ୍ଧୁ ହସ୍ପିଟାଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ପରେ, ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ବଞ୍ଚାଇବା ପାଇଁ ଲୋକମାନେ ଏକାଠି ହୋଇଥିଲେ ।

ସମସ୍ତ ରୋଗୀଙ୍କୁ ହସ୍ପିଟାଲରୁ ବାହାର କରିବା ପାଇଁ ଆଟେଣ୍ଡାଣ୍ଟ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ କଠିନ ପରିଶ୍ରମ କରିଥିଲେ । ଏହି ସମୟରେ, ନିଆଁ ଧିରେ ଧିରେ ବିପଦପୂର୍ଣ୍ଣ ହେଉଥିବା ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ । ଅଗ୍ନିକାଣ୍ଡ ଘଟଣାରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ନିଆଁକୁ ବ୍ୟାପିବାରୁ ରୋକିବା ପାଇଁ ହସ୍ପିଟାଲ ପରିସରରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦିଆଯାଇଥିଲା । ଲୋକମାନେ ମୋବାଇଲ ଟର୍ଚ୍ଚ ଆଲୋକରେ ପରସ୍ପରକୁ ସାହାଯ୍ୟ କରୁଥିବାର ଦେଖାଯାଇଥିଲା । ଅଗ୍ନିକାଣ୍ଡରେ ହସ୍ପିଟାଲର ଆଇସିୟୁ ସମେତ ତିନୋଟି ୱାର୍ଡ ପ୍ରଭାବିତ ହୋଇଛି ।

ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବରେ ନିକଟସ୍ଥ ଅନ୍ୟ ଡାକ୍ତରଖାନାକୁ ପଠାଯାଇଛି । ମଙ୍ଗଳବାର ସକାଳେ ହସ୍ପିଟାଲ ଶୂନଶାନ୍ ହୋଇରହିଛି । ଅଗ୍ନିକାଣ୍ଡର କାରଣ ଏବଂ ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି ।