ଚନ୍ଦ୍ରଯାନ ୩ ମିଶନର ନେତୃତ୍ୱ ନେଉଛନ୍ତି ଲକ୍ଷ୍ନୌର ରକେଟ୍ ଓମ୍ୟାନ, ଭାରତର ନାମୀ ମହାକାଶ ବିଜ୍ଞାନୀଙ୍କ ମଧ୍ୟରେ ରହିଛି ତାଙ୍କର ନାଁ
ନୂଆଦିଲ୍ଲୀ: ଆଜି ଭାରତ ଲାଗି ଏକ ବହୁତ ବଡ ଦିନ । ପୁରା ବିଶ୍ୱର ନଜର ଭାରତ ଉପରେ ରହିଛି । ଭାରତର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆଜି ଦିନ ୨ଘ ୩୫ ମିନିଟ୍ ରେ ଚନ୍ଦ୍ରଯାନ-୩ ଚନ୍ଦ୍ରମା ଆଡକୁ ଯାତ୍ରା କରିବ । ୬୧୫ କୋଟି ବ୍ୟୟରେ ଆରମ୍ଭ ହୋଇଥିବା ଏହି ମିଶନ ପ୍ରାୟ ୫୦ ଦିନ ଯାତ୍ରା କରିବା ପରେ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ନିକଟରେ ଲ୍ୟାଣ୍ଡିଂ କରିବ । ତେବେ ଆପଣ ଜାଣନ୍ତି କି ଚନ୍ଦ୍ରଯାନ ୩ର ଲ୍ୟାଣ୍ଡିଂ ଦାୟିତ୍ୱ ମହିଳା ବେଜ୍ଞାନିକ ଋତୁ କରିଧାଲ ଶ୍ରୀବାସ୍ତବଙ୍କ ଉପରେ ନ୍ୟସ୍ତ କରାଯାଇଛି ବୋଲି । ଋତୁ କରିଧାଲ ଏହି ମିଶନର ନିର୍ଦ୍ଦେଶିକା ଭାବରେ ନିଜର ଦାୟିତ୍ୱ ନିଭାଉଛନ୍ତି ।
ଋତୁ କରିଧାଲ ଲକ୍ଷ୍ନୌର ରକେଟ୍ ୱମ୍ୟାନ୍ ଭାବରେ ପରିଚିତ । ଋତୁ ବିଜ୍ଞାନ କ୍ଷେତ୍ରରେ ଭାରତୀୟ ମହିଳାଙ୍କ ଲାଗି ଏକ ପ୍ରେରଣା । ମଙ୍ଗଳଯାନ ମିଶନରେ ନିଜର ଦକ୍ଷତା ଦେଖାଇ ସାରିଥିବା ଋତୁ କରିଧାଲ ଚନ୍ଦ୍ରଯାନ ୩ ସହିତ ନିଜ ସଫଳତାର ଆଉ ଏକ ପାହାଚ ଚଢିବେ । ଋତୁ ମଙ୍ଗଳଯାନ ମିଶନର ଡେପୁଟୀ ଅପରେସନ ଡାଇରେକ୍ଟର ଥିଲେ । ଲକ୍ଷ୍ନୌରେ ଜନ୍ମ ହେବା ସହିତ ସେହିଠାରେ ପାଠ ପଢି ବଡ ହୋଇଛନ୍ତି ଋତୁ । ଲକ୍ଷ୍ନୌ ୟୁନିଭରସିଟିରୁ ସେ ଫିଜିକ୍ସରେ ଏମଏସସି କରିଛନ୍ତି । ଏହାପରେ ସେ ବେଙ୍ଗାଲୁରର ଭାରତୀୟ ବିଜ୍ଞାନ ସଂସ୍ଥାନରେ ଅଧ୍ୟୟନ କରିଛନ୍ତି । ଏହାପରେ ସେ ଇସ୍ରୋରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ଏରୋସ୍ପେସ୍ ରେ ବିଶେଷଜ୍ଞତା ହାସଲ କରିଥିବା ଋତୁଙ୍କ ପୁରା କ୍ୟାରିୟର ନୂଆ ନୂଆ ଉପଲବ୍ଧିରେ ଭରି ରହିଛି । ୨୦୦୭ରେ ଋତୁଙ୍କୁ ଯୁବ ବୈଜ୍ଞାନିକ ଆୱାର୍ଡ ମଧ୍ୟ ମିଳିଛି । ଭିନ୍ନ୍ ଭିନ୍ନ ମହାକାଶ ମିଶନରେ ତାଙ୍କର ଭୂମିକାକୁ ନେଇ ଦେଶର ପ୍ରମୁଖ ଅନ୍ତରୀକ୍ଷ ବିଜ୍ଞାନୀଙ୍କ ମଧ୍ୟରେ ତାଙ୍କ ନାମ ସାମିଲ କରାଯାଇଛି । ଋତୁଙ୍କୁ ରକେଟ୍ ୱମ୍ୟାନ୍ ମଧ୍ୟ କୁହାଯାଏ ।
ଋତୁ ମିଶନ ମଙ୍ଗଳଯାନ ଓ ମିଶନ ଚନ୍ଦ୍ରଯାନ ୨ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ସାରିଛନ୍ତି । ପିଲାଦିନ୍ ଋତୁଙ୍କ୍ର ମହାକାଶ ଓ ମହାକାଶ ବିଜ୍ଞାନ ପ୍ରତି ରୁଚି ଥିଲା । ଋତୁଙ୍କୁ ମିଳିଥିବା ପୁରସ୍କାର ସୂଚୀ ବହୁତ ଲମ୍ବା । ଡା. ଏପିଜେ ଅବଦୁଲ କାଲାମ ଯୁବ ବୈଜ୍ଞାନିକ ପୁରସ୍କାର, ଏଏସଆଇ ଟିମ୍ ପୁରସ୍କାର, ମଙ୍ଗଳ ମିଶନ ଲାଗି ଇସ୍ରୋ ଟିମ୍ ପୁରସ୍କାର ଏହିପରି ଅନେକ ପୁରସ୍କାର ସେ ଲାଭ କରିସାରିଲେଣି ।