fbpx

କ୍ଷୀର ବିକ୍ରିକରି ହୋଇଗଲେ ମାଲାମାଲ, ୧କୋଟିର ତିଆରି କରିଲେ ଘର : ନାମଦେଲେ “ଗୋଧନ ନିବାସ’

ମୁମ୍ବାଇ : ମହାରାଷ୍ଟ୍ର ସୋଲାପୁରର ଜଣେ କୃଷକ ଗାଇର କ୍ଷୀର ବିକ୍ରି କରି ୧ କୋଟିର ବଙ୍ଗଳା ତିଆରି କରିଛନ୍ତି । କୃଷକଙ୍କ ନାମ ହେଲା ପ୍ରକାଶ ଇମ୍‌ଦେ । ତାଙ୍କର ଏହି ସଫଳତା ଗୋଟିଏ ଗାଇ ଠାରୁ ଆରମ୍ଭ ହୋଇଥିଲା, ବର୍ତ୍ତମାନ ସେ ୧୫୦ରୁ ଅଧିକ ଗାଇ ରଖି ଡେରୀ ଫାର୍ମ ଚଳାଉଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ସ୍ନେହରେ ବାପୁ ବୋଲି ଡାକନ୍ତି ।

ବାପୁ ପ୍ରତ୍ୟେକ ଦିନ ଗାଇ-ଲକ୍ଷ୍ମୀଙ୍କ ଫୋଟକୁ ପୂଜା କରି କାମ ଆରମ୍ଭ କରନ୍ତି । ସେ ୧୯୯୮ ମସିହାରେ ପୈତୃକ ସମ୍ପତି ୪ଏକର ଜମିିରେ ଆରମ୍ଭ କରିଥିଲେ । ତାଙ୍କୁ ସେହି ଜମିଟି ଉତ୍ତରାଧିକାରୀ ଭାବେ ମିଳିଥିଲା । ସେହି ଜମିରେ ଚାଷ କରିବା ଅସମ୍ଭବ ହୋଇଥିବାରୁ ପ୍ରକାଶ ଚାଷ କରିବା ଛାଡି, ସେଠାରେ ଗାଇର କ୍ଷୀର ଏବଂ ଗୋବର ବିକ୍ରି କରିବାର ବ୍ୟବସାୟ ଆରମ୍ଭ କରିଲେ । ପ୍ରଥମେ ସେ ନିଜ ଗାଁ ବାସିନ୍ଦାଙ୍କୁ କ୍ଷୀର ବିକ୍ରି କରି ପରବର୍ତ୍ତୀ ସମୟରେ ଦୂର ଦୂରାନ୍ତରୁ ଆସି ଲୋକେ ତାଙ୍କ ପାଖରୁ କ୍ଷୀର ନେଇ ଯାଉଛନ୍ତି । ଏହି ବ୍ୟବସାୟରେ ପରିବାର ଲୋକେ ମଧ୍ୟ – ଗାଇର କ୍ଷୀର ବାହାର କରିବା ଠାରୁ ଆରମ୍ଭ କରି, ସେମାନଙ୍କୁ ଖାଦ୍ୟ ଖୁଆଇବା ପର୍ଯ୍ୟନ୍ତ ସମସ୍ତ କାମରେ ପ୍ରକାଶଙ୍କୁ ସାହାଯ୍ୟ କରୁଛନ୍ତି ।

ପ୍ରକାଶ ମାତ୍ର ଗୋଟିଏ ଗାଇରୁ ବ୍ୟବସାୟ ଆରମ୍ଭ କରି, ବର୍ତ୍ତମାନ ୧୫୦ରୁ ଅଧିକ ଗାଇକୁ ନେଇ ଡେରୀ ଫାର୍ମ ଚଳାଉଛନ୍ତି । ଫାର୍ମରେ ପ୍ରତିଦିନ ୧୦୦୦ ଲିଟରରୁ ଅଧିକ କ୍ଷୀର ଉତ୍ପାଦନ ହେଉଛି । ସେ ଫାର୍ମରୁ ଗୋଟିଏ ବାଛୁରୀ ମଧ୍ୟ କେବେ ବିକ୍ରି କରୁ ନାହାନ୍ତି । ଗାଇକୁ ପ୍ରତିଦିନ ସେ ପାଞ୍ଚ ଟନର ଚାରା ଆଣି ଖାଇବାକୁ ଦିଅନ୍ତି । ଅନ୍ୟ ଗାଁ ଏବଂ ସହରରୁ ଲୋକମାନେ ପ୍ରକାଶଙ୍କ ଫାର୍ମ ଦେଖିବା ପାଇଁ ଆସନ୍ତି ଏବଂ କିଛି ଜିନିଷ ଶିଖି ଯାଆନ୍ତି । ବାପୁଙ୍କ ଅନେକ ବର୍ଷର ପରିଶ୍ରମ ଏବେ ୧ କୋଟି ଟଙ୍କାର ବଙ୍ଗଳାରେ ରୁପାନ୍ତରିତ ହୋଇଛି । ସେହି ବଙ୍ଗଳା ଉପରେ ଗୋଟିଏ ଗାଇର କ୍ଷୀର ବାହାର କରାଯାଉଥିବା ପ୍ରତିମୂର୍ତ୍ତୀ ରଖାହୋଇଛି, ଯାହା ଦ୍ୱାରା କି ସମସ୍ତେ ମନେ ରଖି ପାରିବେ ଯେ ଏହି ବଙ୍ଗଳାର ନିର୍ମାଣ କିପରି ହୋଇଥିଲା ।

Get real time updates directly on you device, subscribe now.