fbpx

ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲା: ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ

କଟକ (ଭାସ୍କର ନ୍ୟୁଜ୍‌): କଟକ ଜିଲ୍ଲାର ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆସାମୀ ଜିତେନ୍ଦ୍ର ସାହୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ହୋଇଛି । କଟକର ଆଡହକ୍‌ ଏଡିଜେ ତଥା ଫାଷ୍ଟ୍‌ଟ୍ରାକ୍‌ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଆସାମୀ ଜିତେନ୍ଦ୍ରକୁ ଆଇପିସିର ୩୬୭(ଏବି) ଦଫାରେ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷର ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ଆସାମୀକୁ ୧୫ ହଜାର ଟଙ୍କାର ଜରିମାନା ରାଶି ପ୍ରଦାନ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି । ଜରିମାନା ଦାଖଲ କରିବାରେ ବିଫଳ ହେଲେ ଆସାମୀକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ କହିଛନ୍ତି ।

ସେହିପରି କୋର୍ଟ ଭିସିଏ (ଭିକ୍ଟିମ୍‌ କମ୍ପେନ୍‌ସେସନ୍‌) ପିଡୀତା କ୍ଷତିପୂରଣ ଯୋଜନାରେ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ଷତିପୂରଣ ରାଶି ପିଡିତା ନାବଳିକାଙ୍କ ବ୍ୟାଙ୍କ ଜମା ଖାତାରେ ସ୍ଥାୟୀ ଜମା ଭାବେ ରହିବ । କୋର୍ଟରେ ପିଡିତାର ବୟାନ ସମେତ ୧୪ ଜଣଙ୍କ ସାକ୍ଷ୍ୟଗ୍ରହଣ ଓ ୧୪ ଟି ନଥିତ୍ରକୁ ପ୍ରାମାଣିକ ତଥ୍ୟ ଭାବେ ଗ୍ରହଣ କରି ଏପରି ଦଣ୍ଡବିଧାନ କରିଛନ୍ତି ।

ଗତ ୨୦୧୯ ମସିହା ଫେବୃୟାରୀ ୨୭ ତାରିଖରେ ଆସାମୀ ଜିତେନ୍ଦ୍ର ମାହାଙ୍ଗା ଥାନା ଅଞ୍ଚଳର ଜଣେ ୪ ବର୍ଷୀୟା ନାବାଳିକାକୁ ବିବାହ ଭୋଜିରୁ ଡାକି ନେଇ ଦୁଷ୍କର୍ମ କରିଥିଲା । ଜିତେନ୍ଦ୍ର ବିବାହ ଭୋଜିକୁ ଅତିଥି ଭାବେ ଆସି ଏପରି କାଣ୍ଡ କରିଥିଲା । ଏ ସମ୍ପର୍କରେ ପିଡିତା ତାର ମାଆକୁ କହିବା ପରେ ପରିବାର ପକ୍ଷରୁ ନିକଟସ୍ଥ ମାହାଙ୍ଗା ଥାନାରେ ଜିତେନ୍ଦ୍ର ବିରୋଧରେ ଏତଲା ଦିଆଯାଇଥିଲା । ଉକ୍ତ ଏତଲା ଆଧାରରେ ମାହାଙ୍ଗା ପୁଲିସ୍‌ ଜିତେନ୍ଦ୍ରକୁ ଗିରଫ କରି ତା ବିରୋଧରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ଉପଯୁକ୍ତ ପ୍ରମାଣ ଓ ସାକ୍ଷ୍ୟ ଆଧାରରେ କୋର୍ଟ ଆସାମୀକୁ ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ବିଶ୍ୱଜିତ୍‌ ରାୟ ପରିଚାଳନା କରୁଥିଲେ ।

Get real time updates directly on you device, subscribe now.