fbpx

ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାହୁଡାଯାତ୍ରା; ପୁରୀକୁ ଚଳାଚଳ କରିବ ସ୍ଵତନ୍ତ୍ର ବସ୍

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତାକାଲି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ବାହୁଡାଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗୁଣ୍ଡିଚା ମନ୍ଦିରର ଆଡପମଣ୍ଡପରେ ତିନିଠାକୁରଙ୍କୁ ସଂଧ୍ୟା ଦର୍ଶନ କରିବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ଆଜି ଭୋର ୫ଟାରୁ ସନ୍ଧ୍ୟା ଦର୍ଶନ ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଗଣିତ ଶ୍ରଦ୍ଧାଳୁମାନେ ଗୁଣ୍ଡିଚାମନ୍ଦିର ସମ୍ମୁଖରେ ନିର୍ମାଣ କରାଯାଇଥିବା ବ୍ୟାରିକେଡ୍‍ ବାଟେ ଲମ୍ବାଧାଡିରେ ଯାଇ ଠାକୁରମାନଙ୍କୁ ଦର୍ଶନ କରିଥିଲେ ।

ଆସନ୍ତାକାଲି ବାହୁଡାଯାତ୍ରା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟକ ଯାତ୍ରୀ ତଥା ପର୍ଯ୍ୟଟକମାନେ ସ୍ୱତନ୍ତ୍ର ରେଳ ଓ ବସ୍‍ ଯୋଗେ ଆସି ପୁରୀରେ ପହଞ୍ଚିବାରେ ଲାଗିଛନ୍ତି । ଶରଧାବାଲିସ୍ଥିତ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥିବା ତିନୋଟିଯାକ ସୁସଜ୍ଜିତ ରଥ, ପ୍ରଭୁଙ୍କ ଆଗମନକୁ ଚାହିଁ ରହିଛନ୍ତି । ରଥସବୁ ଲାଗିବା ପରେ ୨୯ ତାରିଖ ଗୁରୁବାର ଦିନ ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କୁ ରଥଉପରେ ସୁନାବେଶ କରାଯିବ ଏବଂ ୩୦ ତାରିଖ ଶୁକ୍ରବାର ଦିନ ଦ୍ୱାଦଶୀରେ ଅଧରପଣା ଭୋଗ ହୋଇ ଶନିବାର ନିଳାଦ୍ରୀବିଜେରେ ଠାକୁରମାନେ ରଥ ଉପରୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି ।

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରୁ ପୁରୀକୁ ସ୍ୱତନ୍ତ୍ର ବସ୍‍ ଚଳାଚଳ କରିବ । କଟକରୁ ୪୨ଟି ନିୟମିତ ବସ୍‍ ସହ ୬୦ଟି ଅସ୍ଥାୟୀ ବସ୍‍କୁ ଆସନ୍ତାକାଲିଠାରୁ ୩ ଦିନ ପାଇଁ ପୁରୀ ଯିବା ପାଇଁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଇଛି ବୋଲି ପରିବହନ ବିଭାଗ କହିଛି । ସେହିପରି ଭୁବନେଶ୍ୱରରୁ ୬୫ଟି ଅସ୍ଥାୟୀ ବସ୍‍କୁ ପୁରୀ ଅଭିମୁଖେ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଇଛି । ସବୁ ବସ୍‍ରେ ଭଡ଼ା ସାରଣୀ ସହ ଅଧିକ ଅର୍ଥ ଆଦାୟ କଲେ ଅଭିଯୋଗ ପାଇଁ ସ୍ୱତନ୍ତ୍ର ସହାୟତା ନମ୍ବର ଜାରି କରାଯାଇଛି ।

Get real time updates directly on you device, subscribe now.