ନୂଆଦିଲ୍ଲୀ: ସାରା ଦେଶବାସୀଙ୍କ ନଜର ଏବେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ରହିଛି । ମହାରାଷ୍ଟ୍ରର ୨୮୮ଟି ଓ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଆଜି ସକାଳୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ତାହା ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ତେବେ ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ଅଫିସିଆଲ ଭାବେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ତରଫରୁ ଘୋଷଣା ହୋଇନଥିଲେ ହେଁ କିଏ କେଉଁଠାରେ ବାଜିମାତ୍ କରିବ, ତା’ର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯାଇଛି । ଦୁଇ ରାଜ୍ୟରେ ଆଉ ମାତ୍ର ଅଳ୍ପ କିଛି ଆସନର ଫଳାଫଳ ଆସିବାକୁ ବାକି ରହିଥିବା ବେଳେ କେଉଁ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇସାରିଲାଣି ।
ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ମୁତାବକ, ମହାରାଷ୍ଟ୍ରରେ ବର୍ତ୍ତମାନ ବିଜେପି ୮୯ଟି ଆସନରେ ବିଜୟୀ ହେବା ସହ ୪୪ଟି ଆସନରେ ଆଗୁଆ ରହିଛି । ସେହିପରି ଶିବ ସେନା (ଏକନାଥ ଶିନ୍ଦେ) ୪୨ଟି ଆସନରେ ବିଜୟୀ ହେବା ସହ ୧୫ଟିରେ ଆଗୁଆ ରହିଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ୩୪ଟି ଆସନରେ ବିଜୟୀ ହେବା ସହ ୭ଟିରେ ଆଗୁଆ ରହିଛି । ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ୧୬ଟି ଆସନରେ ବିଜୟୀ ହେବା ସହ ୪ଟିରେ ଆଗୁଆ ରହିଛି । ଭାରତୀୟ ଜାତୀୟ କଂଗ୍ରେସ ୧୦ଟି ଆସନରେ ବିଜୟୀ ହେବା ସହ ୫ଟିରେ ଆଗୁଆ ରହିଛି । ଏନସିପି (ଶରଦ ଚନ୍ଦ୍ର ପାୱାର- ଏନସିପିଏସପି) ୬ଟି ଆସନରେ ଜିତିବା ସହ ୪ଟିରେ ଆଗୁଆ ରହିଛି । ସମାଜବାଦୀ ପାର୍ଟି ୨ଟିରେ, ଜନ ସୁରକ୍ଷା ଶକ୍ତି (ଜେଏସଏସ) ୨ଟିରେ ବିଜୟୀ ହୋଇଥିବା ବେଳେ ରାଷ୍ଟ୍ରୀୟ ଯୁବ ପାର୍ଟି ଗୋଟିଏ ଆସନରେ ବିଜୟୀ ହୋଇଛି । ତେବେ ଏଥର ମହାରାଷ୍ଟ୍ରରେ ବିଜେପି, ଶିବ ସେନା (ଏକନାଥ ଶିନ୍ଦେ) ଓ ଏନସିପି (ଅଜିତ ପାୱାର)ଙ୍କ ମେଣ୍ଟ ସରକାର ଗଠନ କରିବା ଏକପ୍ରକାର ସ୍ପଷ୍ଟ ହୋଇଛି । ତେଣୁ ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ଦଳୀୟ ମହଲରେ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି । ରାଜ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ବିଜୟକୁ ନେଇ ଏବେଠାରୁ ଉତ୍ସାହର ମାହୋଲ ଦେଖିବାକୁ ମିଳିଲାଣି ।
ସେହିପରି ଝାଡ଼ଖଣ୍ଡ ବିଧାନସଭାର ୮୧ଟି ଆସନ ପାଇଁ ମଧ୍ୟ ଭୋଟ୍ ଗଣତି ଜାରି ରହିଛି । ବର୍ତ୍ତମାନ ଭୋଟ ଗଣତି ଜାରି ରହିଥିବା ବେଳେ ରାଜ୍ୟରେ କିଏ ସରକାର ଗଠନ କରିବା ତା’ର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ୨୮ଟି ଆସନରେ ବିଜୟୀ ହେବା ସହ ୬ଟିରେ ଆଗୁଆ ରହିଛି । ବିଜେପି ୧୭ଟି ଆସନରେ ବିଜୟୀ ହେବା ସହ ୪ଟିରେ ଆଗୁଆ ରହିଛି । କଂଗ୍ରେସ ୧୨ଟିରେ ବିଜୟୀ ହେବା ସହ ୪ଟିରେ ଆଗୁଆ ରହିଛି । ରାଜେଡି ୪ଟି ଆସନରେ ବିଜୟୀ ହୋଇଛି । ସିପିଆଇ (ମାର୍କ୍ସବାଦୀ-ଲେନିନିଷ୍ଟ) (ଲିବରେସନ)- ସିପିଆଇ (ଏମଏଲ) (ଏଲ) ୨ଟି ଆସନରେ, ଆଜସୁ ପାର୍ଟି ୧ଟିରେ, ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ)- ଏଲଜେପିଆରଭି ୧ଟିରେ ଓ ଝାଡ଼ଖଣ୍ଡ ଲୋକତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚା- ଜେଏଲକେଏମ ୧ଟି ଆସନରେ ବିଜୟୀ ହୋଇଛନ୍ତି । ତେବେ ବର୍ତ୍ତମାନ ଭୋଟ ଗଣତି ଜାରି ରହିଥିବା ବେଳେ ରାଜ୍ୟରେ ଏଥର ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମେଣ୍ଟ ସରକାର ଗଠନ କରିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ସେନେଇ ଦଳୀୟ ମହଲରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି ।