fbpx

ଅଧିକାରୀ କହିଲେ ପାର୍ଟି ଦେଲେ ହେବ କାର୍ଯ୍ୟାନୁଷ୍ଠାନ; ଛେଳି, କୁକୁଡା, ମଦ ଓ ସିଗାରେଟ୍ ସାଥିରେ ଧରି କୃଷି କାର୍ଯ୍ୟାଳୟରେ ପହଞ୍ଚିଥିଲେ ବିରୋଧକାରୀ

ହିଙ୍ଗୋଲି: ମହାରାଷ୍ଟ୍ର ହିଙ୍ଗୋଲୀରେ ନକଲି ଜୈବିକ ସାର ଓ ବିହନ ବିକ୍ରୀ କରୁଥିବା କମ୍ପାନୀ ଓ ଦୋକାନୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରି ସ୍ୱାଭିମାନୀ କୃଷକ ସଂଗଠନ ଗତ ୪ ମାସ ଧରି ଲଗାତର ଆନ୍ଦୋଳନ କରି ଆସୁଛନ୍ତି । ଏହାସତ୍ତ୍ୱେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏପରି ସ୍ଥିତିରେ ସ୍ୱାଭିମାନ କୃଷକ ସଂଗଠନ କାର୍ଯ୍ୟକର୍ତ୍ତା ବୁଧବାର ଛେଳି, କୁକୁଡା, ମଦ ବୋତଲ ଓ ସିଗାରେଟ୍ ପ୍ୟାକେଟ୍ ହାତରେ ଧରି କୃଷି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସ୍ୱାଭିମାନ କୃଷକ ସଂଗଠନର ଅଭିଯୋଗ ନକଲି କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି କୃଷି ଅଧିକାରୀ କୃଷକମାନଙ୍କ ଠାରୁ ପାର୍ଟି ମାଗୁଥିଲେ । ଏଣୁ ସେମାନେ ଦାବୀ ପୂରଣ ଲାଗି ଏପରି ପଦକ୍ଷେପ ନେଇଛନ୍ତି ।

ସ୍ୱାଭିମାନ କୃଷକ ସଂଗଠନ କହିଛନ୍ତି ନକଲି ଜୈବିକ ସାର ଓ ବିହନ ବିକ୍ରୀ କରୁଥିବା କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲା କୃଷି ଅଧୀକ୍ଷକ ଓ ଗୁଣବତ୍ତା ନିୟନ୍ତ୍ରଣ ଅଧିକାରୀଙ୍କ ପାଖକୁ ଯାଇଥିଲେ । ଅଧିକାରୀ କହିଥିଲେ ନକଲି କମ୍ପାନୀ ଆମକୁ ପାର୍ଟି ଦେଇଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେଣୁ ତୁମେମାନେ ବି ଯଦି ଆମକୁ ପାର୍ଟି ଦେବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଆମେ ଅଧିକାରୀଙ୍କ ପାଇଁ ଏହିସବୁ ଜିନିଷ ଆଣିକରି ଆସିଛୁ ବୋଲି ସ୍ୱାଭିମାନ କୃଷକ ସଂଗଠନର ସଦସ୍ୟମାନେ କହିଛନ୍ତି । ଅନ୍ୟପକ୍ଷରେ ସ୍ୱାଭିମାନ କୃଷକ ସଂଗଠନର ଏପରି ଅଭିଯୋଗକୁ ଜିଲ୍ଲା କୃଷି ଅଧିକାରୀ ଶିବରାଜ ଘୋରପଡେ ଅସ୍ୱୀକାର କରିଛନ୍ତି ।

ଏବେ ସ୍ୱାଭିମାନ କୃଷକ ସଂଗଠନ କହିଛି ଯଦି ଜିଲ୍ଲା ଅଧିକାରୀଙ୍କ ଦାବୀ ଅନୁଯାୟୀ ସାମଗ୍ରୀ ପହଞ୍ଚାଇବା ପରେ ବି କାର୍ଯ୍ୟାନୁଷ୍ଠାନ ନ ନିଆଗଲା ତେବେ ସେମାନେ ରାଜ୍ୟର କୃଷି ମନ୍ତ୍ରୀଙ୍କ ଘର ନିକଟରେ ବି ଏହିପରି ଛେଳି, କୁକୁଡା, ମଦ ଧରି ହାଜର ହେବେ ।

Get real time updates directly on you device, subscribe now.