ବଡ ହିଂସା ଆଡକୁ ଗତି କରୁଛି ମହାରାଷ୍ଟ୍ର!

ପରଭାନୀ- ପୁଣି ମହାରାଷ୍ଟ୍ରରେ ହିଂସା ତେଜିବା ଆରମ୍ଭ କରିଛି । ବହୁ ସ୍ଥାନରେ ଜଳାପୋଡା, ଟ୍ରେନ ରୋକ, ବିକ୍ଷୋଭ ପରେ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଛି । ପରଭଣୀରେ କେହି ସମ୍ବିଧାନର ଅପମାନ କରିବା ଅଭିଯୋଗରେ ଅଭିଯୁକ୍ତକୁ ଫାଶି ଦେବାକୁ ଲୋକେ ଦାବି କରୁଛନ୍ତି । ଏଥିସହ ଆସନ୍ତା କାଲି ଅର୍ଥାତ୍ ବୁଧବାର ମହାରାଷ୍ଟ୍ର ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି ।

ଏହି ଘଟଣାରେ ବଞ୍ଚିତ ବହୁଜନ ଅଘାଡି ପ୍ରମୁଖ ପ୍ରକାଶ ଆମ୍ବେଦକର ନିଜ ପ୍ରତିକ୍ରିୟାରେ କହିଛନ୍ତି, ପରଭଣୀରେ ଜାତିବାଦୀ ମରାଠୀ ଉଗ୍ରବାଦୀ ବାବାସାହେବଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ସମ୍ବିଧାନର ଅପମାନ କରିଛି । ଘଟଣାକୁ ନିନ୍ଦା କରିବା ସହ ଅତ୍ୟନ୍ତ ଲଜ୍ଜାଜନକ ଘଟଣା କହିଛନ୍ତି ଆମ୍ବେଦକର । ଏଥିସହ, ଏପରି ଘଟଣା ପ୍ରଥମ ନୁହେଁ କହି ଦୁଃଖ ପ୍ରକାଶ କରିଛନ୍ତି ।

ମହାରାଷ୍ଟ୍ରରେ ପରଭଣୀ ଷ୍ଟେଶନ ସମ୍ମୁଖରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରହିଛି । ପ୍ରତିମୂର୍ତ୍ତି ପାଖରେ ସମ୍ବିଧାନ ପ୍ରତିମୂର୍ତ୍ତି ରହିଛି । ମଙ୍ଗଳବାର ସଂଧ୍ୟା ପାଞ୍ଚଟା ସମୟରେ କେହି ଦୁର୍ବୃତ୍ତ ସେହି ସମ୍ବିଧାନକୁ ଭାଙ୍ଗି ଦେଲା । ଘଟଣା ସାମ୍ନାକୁ ଆସୁଆସୁ ଲୋକଙ୍କ ଭିତରେ ଆକ୍ରୋଶ ଦାନା ବାନ୍ଧିବା ଆରମ୍ଭ କଲା । ସଂଧ୍ୟା ୬ଟାରେ ଅଚାନକ ପ୍ରଦର୍ଶନକାରୀଷ୍ଟେଶନକୁ ଯାଇ ନନ୍ଦିଗ୍ରାମ ଏକ୍ସପ୍ରେସର ଲୋକୋ ପାଇଲଟକୁ ଟ୍ରେନରୁ ଟାଣି ଆଣି ମାଡ ମାରିବା ସହ ପ୍ରାୟ ୩୦ ମିନିଟ ଯାଏଁ ଟ୍ରେନକୁ ଅଟକାଇ ଦେଇଥିଲେ ।

ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏଥିସହ ବୁଧବାର ବନ୍ଦ ଡାକରା ଦେଇଥିଲେ । ଲୋକଙ୍କ ଭିତରେ ଆକ୍ରୋଶ ଏମିତି ବଢିଥିଲା କି, ସେମାନେ ଦୁର୍ବୃତ୍ତକୁ ଫାଶୀ ଦେବାକୁ ଦାବି କରିଛନ୍ତି । ବୁଧବାର ବନ୍ଦ ଡାକରା ବେଳେ ଜଳାପୋଡା ଘଟଣା ସାମ୍ନାକୁ ଆସିଛି । ମହିଳାମାନେ କଲେକ୍ଟର ଅଫିସରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।