fbpx

ପାୱାର-ଫଡନଭିସ୍ ସାକ୍ଷାତ ପଛର ରହସ୍ୟ କ’ଣ ହୋଇପାରେ, ବଦଳିବ କି ମହାରାଷ୍ଟ୍ରର ରାଜନୀତିକ ସମୀକରଣ?

ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । କିଛିଦିନ ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର ଓ ବିଜେପି ନେତା ଦେବେନ୍ଦ୍ର ଫଡନଭିସଙ୍କର ସାକ୍ଷାତ ହୋଇଥିଲା । ତେବେ ଦୁଇ ନେତାଙ୍କର ସାକ୍ଷାତକୁ ନେଇ କ’ଣ ରହସ୍ୟ ରହିଛି, ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଫଡନଭିସ୍ ବର୍ତ୍ତମାନ ବିରୋଧୀ ଦଳରେ ରହିଥିବାରୁ ଏହି ସାକ୍ଷାତକୁ ଗୁରୁତ୍ୱର ସହ ବିଚାର କରାଯାଉଛି । ଏ ଘଟଣା ପରେ ମହାରାଷ୍ଟ୍ରରେ ଶାସନାଧୀନ ଶିବସେନାର ଦଳୀୟ ମୁଖପତ୍ର ‘ସାମନା’ରେ ଏହାର ସମ୍ପାଦକ ତଥା ସାଂସଦ ସଞ୍ଜୟ ରାଉତ ଜବାବ ଦେଇଛନ୍ତି ।

‘ସାମନା’ର ସମ୍ପାଦକୀୟରେ କୁହାଯାଇଛି ଯେ, ବିରୋଧୀଙ୍କୁ ବିପଦ ସମୟରେ କିପରି ପରିସ୍ଥିତିର ସାମନା କରିବାକୁ ପଡ଼ିବ, ବୋଧହୁଏ ସେଥିପାଇଁ ପରାମର୍ଶ ନେବା ପାଇଁ ଫଡନଭିସ୍ ପାୱାରଙ୍କୁ ସାକ୍ଷାତ କରିଥିଲେ । ଯଦି ଫଡନଭିସ ବିରୋଧୀ ଦଳ ନେତା ଭାବେ ନିଜର କାର୍ଯ୍ୟ ଠିକ୍ ଭାବେ ତୁଲାଇବେ, ତେବେ ରାଜନୀତିରେ ତାଙ୍କର ସ୍ଥିତି ମଜବୁତ ହେବ । ବର୍ତ୍ତମାନ ସମୟରେ ପାୱାର ବିଶ୍ରାମ ନେବାର ସମୟ, ମାତ୍ର ବିରୋଧୀମାନେ ତାଙ୍କୁ ସେଥିରୁ ବଞ୍ଚିତ କରୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପରାଜୟର ମୁଖ୍ୟ କାରଣ ଥିଲେ ଜନତା ପାର୍ଟିର ଜୟପ୍ରକାଶ ନାରାୟଣ, ତଥାପି ଇନ୍ଦିରା ତାଙ୍କଠାରୁ ଆଶିର୍ବାଦ ନେଇଥିଲେ । ସେହିପରି ଶିବସେନାର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ବାସଭବନ ମାତ୍ରୋଶ୍ରୀକୁ ସମସ୍ତ ଦଳର ନେତାମାନେ ଆଶିର୍ବାଦ ନେବାକୁ ଆସୁଥିଲେ । ପାୱାର ମଧ୍ୟ ଠାକରେଙ୍କ ଠାରୁ ଆଶିର୍ବାଦ ନେଉଥିଲେ, ସେଥିପାଇଁ ଫଡନଭିସ୍ ପାୱାରଙ୍କୁ ଯୋଗ୍ୟ ଭାବି ଭେଟିଥିଲେ । ଉଭୟଙ୍କ ସାକ୍ଷାତ ନେଇ କୌଣସି ରହସ୍ୟ ନାହିଁ ବୋଲି କୁହାଯାଇଛି । ତେବେ ମୁଖପତ୍ରରେ ଏପରି କୁହାଯାଇଥିଲେ ମଧ୍ୟ ଭବିଷ୍ୟତରେ ଯେ ରାଜନୀତିକ ପାଣିପାଗ ନ ବଦଳିବ, ତାହା କହିହେବ ନାହିଁ । କାରଣ କଂଗ୍ରେସ, ଏନସିପି ସାହାରାରେ ଶିବସେନା ସରକାର ଗଢ଼ିଥିବାରୁ କେତେବେଳେ କିଏ କାହା ହାତ ଛାଡ଼ିବ, ତାହା ଏବେ ଠୁ କହିହେବ ନାହିଁ ।

Get real time updates directly on you device, subscribe now.