fbpx

ବଡ଼ ଧରଣର ଦୁର୍ଘଟଣା: ୩ ଜଣଙ୍କ ମୃତ୍ୟୁ, ୧୩ ଗୁରୁତର

Advertisement

ଓଡିଶା ଭାସ୍କର: କୋରାପୁଟ ଜିଲ୍ଳା ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁରରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳୁଛି। ଏଥିରେ ୩ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଦୁର୍ଘଟଣା ନେଇ ଘଟଣାସ୍ଥଳରେ ବହୁ ମାତ୍ରାରେ ଭିଡ଼ ଦେଖିବାକୁ ମିଳୁଛି। ତେବେ ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ସିସିଟିଭି ଭିଡିଓ ଅନୁଯାୟୀ, ଦ୍ରୁତ ଗତି ଓ ଓଭର ଟେକିଂ ଯୋଗୁ ଏହି ସିରିଜ୍‌ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏଥିରେ ଦେଖିବାକୁ ମିଳିଛି ଯେ, ଗୋଟିଏ ସ୍କୋର୍ପିଓ ଓ ଯାତ୍ରୀବାହୀ ଅଟୋ ଗୋଟିଏ ପଟୁ ଆସୁଥିବା ବେଳେ ବିପରୀତ ପଟରୁ ଏକ ଟ୍ରାକ୍ଟର ଯାଉଥିଲା। ତେବେ ସ୍କୋର୍ପିଓଟି ଦ୍ରୁତ ଗତିରେ ଆସୁଥିଲା। ଏହା ସହ ସେ ଅଟୋକୁ ଓଭରଟେକ୍‌ କରିବାକୁ ପ୍ରୟାସ କରୁଥିଲା। ସେହି ସମୟରେ ବିପରୀତ ପଟରୁ ଏକ ବାଇକ୍ ଦ୍ରୁତ ଗତିରେ ଟ୍ରାକ୍ଟରକୁ ଓଭରଟେକ୍‌ କରି ଯାଉଥିବା ବେଳେ ସ୍କୋର୍ପିଓ ସହିତ ବାଡ଼େଇ ହୋଇଯାଇଥିଲା। ଏହା ପରେ ଭାରସାମ୍ୟ ହରାଇଥିବା ସ୍କୋର୍ପିଓଟି ଏହା ଆଗରେ ଯାଉଥିବା ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଓଲଟି ପଡ଼ିଥିଲା ଓ ଏଥିରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ବାହାରକୁ ଛିଟିକି ପଡ଼ିଥିଲେ। ସେପଟେ ସ୍କୋର୍ପିଓଟି ଅଟୋକୁ ଧକ୍କା ଦେବା ବେଳେ ବିପରୀତ ପଟରୁ ଆସୁଥିବା ଆଉ ଏକ ବାଇକ୍ ମଧ୍ୟ ସ୍କୋର୍ପିଓରେ ଜୋରରେ ପିଟି ହୋଇଥିଲେ। ଫଳରେ ସେ ବାଇକ୍ ସହ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

 

Get real time updates directly on you device, subscribe now.