Delhi Capitalsରେ ବଡ଼ ପରିବର୍ତ୍ତନ: IPL-2025 ପୂର୍ବରୁ ସାମିଲ ହେଲେ ଚମ୍ପିଆନ୍ କ୍ରିକେଟର, ମିଳିବ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫କୁ ନେଇ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି । ଟୁର୍ଣ୍ଣାମେଣ୍ଟ ପାଇଁ ମେଗା ଅକ୍ସନକୁ ନେଇ ଜୋରଦାର ପ୍ରସ୍ତୁତି ହେଉଥିବା ବେଳେ ବଡ଼ ପରିବର୍ତ୍ତନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ମେଗା ଅକ୍ସନକୁ ଯିବା ପୂର୍ବରୁ ଦଳରେ ୨ ଜଣ ଚମ୍ପିଆନ୍ କ୍ରିକେଟରଙ୍କୁ ସାମିଲ କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଉଭୟ କ୍ରିକେଟରଙ୍କୁ ଦାୟିତ୍ୱ ପ୍ରଦାନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ଦୁଇ ଜଣଙ୍କ ନେତୃତ୍ୱରେ ଦଳ ଅକ୍ସନରେ ଭଲ ବିଡ୍ କରିବ ବୋଲି ଆଶା କରାଯାଉଛି ।

ଆଇପିଏଲ-୨୦୨୫ ପୂର୍ବରୁ ନୂଆ କୋଚିଙ୍ଗ ଷ୍ଟାଫଙ୍କୁ ନିଯୁକ୍ତି କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଭାରତର ପୂର୍ବତନ କ୍ରିକେଟର ହେମାଙ୍ଗ ବଦାନୀଙ୍କୁ ଦଳର ମୁଖ୍ୟ କୋଚ୍ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ବେଣୁଗୋପାଳ ରାଓଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ସାମିଲ କରିଛି ଦଳ । ଟିମ ଇଣ୍ଡିଆ ପାଇଁ ୪ଟି ଟେଷ୍ଟ ଏବଂ ୪୦ ଦିନିକିଆ ଖେଳିଥିବା ହେମାଙ୍ଗ ବଦାନୀ ବିଭିନ୍ନ କ୍ରିକେଟ ଲିଗରେ କୋଚ୍ ପଦବୀରେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏହାବ୍ୟତୀତ ୨୦୨୧-୨୩ ପର୍ଯ୍ୟନ୍ତ ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦରେ ଫିଲ୍ଡିଂ କୋଚ୍ ଏବଂ ବ୍ୟାଟିଂ କୋଚ୍ ଭାବରେ ଭୂମିକା ତୁଲାଇ ସାରିଛନ୍ତି । ଏହାବ୍ୟତୀତ ଲଙ୍କା ପ୍ରିମିୟର ଲିଗ୍ ରେ ଜାଫନା କିଙ୍ଗସର କୋଚ୍ ଭାବରେ ଦଳକୁ ଲଗାତାର ୨ ଥର ଚମ୍ପିଆନ୍ କରିବାରେ ସଫଳ ହୋଇଛନ୍ତି । ସେହିପରି ଏସଏ୨୦ରେ ମଧ୍ୟ ଚମ୍ପିଆନ୍ ସନରାଇଜର୍ସ ଇଷ୍ଟର୍ଣ୍ଣ ପାଇଁ ମଧ୍ୟ ସେ ବ୍ୟାଟିଂ କୋଚ୍ ଦାୟିତ୍ୱରେ ରହିଥିଲେ ।

ଅନ୍ୟ ପକ୍ଷରେ ଭାରତ ପାଇଁ ୧୬ଟି ଦିନିକିଆ ଖେଳିଥିବା ବେଣୁଗୋପାଳ ରାଓ ଆଇପିଏଲର ଦ୍ୱିତୀୟ ସଂସ୍କରଣ-୨୦୦୯ରେ ଚମ୍ପିଆନ୍ ହୋଇଥିବା ଡେକାନ୍ ଚାର୍ଜର୍ସ ଦଳର ସଦସ୍ୟ ରହିଥିଲେ । ଏହାବ୍ୟତୀତ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ୩ଟି ସିଜନ ଖେଳିଥିଲେ ରାଓ । ପରେ ଦୁବାଇ କ୍ୟାପିଟାଲ୍ସ ସହ ସାମିଲ ହୋଇ ମେଣ୍ଟର ଦାୟିତ୍ୱ ନେଇଥିଲେ ଏବଂ ପରେ କ୍ରିକେଟ ନିର୍ଦ୍ଦେଶକ ଭାବରେ ମଧ୍ୟ ସେ ଦାୟିତ୍ୱ ତୁଲାଇ ସାରିଛନ୍ତି । ତେବେ ଏ ଦୁହିଁଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଆସନ୍ତା ମେଗା ଅକ୍ସନରେ ଭଲ ବିଡ୍ କରିବ ବୋଲି ଆଶା ରହିଛି ।

Get real time updates directly on you device, subscribe now.