fbpx

ମାଳଦ୍ୱୀପ: ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ପ୍ରସ୍ତୁତ ହେଉଛି ମୁଖ୍ୟ ବିରୋଧୀ ଦଳ

ନୂଆଦିଲ୍ଲୀ: ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ ‘ଏମ୍ଡିପି’ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ସନ୍ ଇଣ୍ଟରନ୍ୟାସନାଲର ଖବର ଅନୁଯାୟୀ, ମହାଭିଯୋଗ ପ୍ରସ୍ତାବ ଉପରେ ଏମ୍ଡିପି ପର୍ଯ୍ୟାପ୍ତ ସଂଖ୍ୟକ ସାଂସଦଙ୍କ ସମର୍ଥନ ହାସଲ କରିଛି। ଏଥିରେ ଏମଡିପି ସହିତ ଡେମୋକ୍ରାଟ ମଧ୍ୟ ଅଛନ୍ତି। ଜଣେ ଏମଡିପି ସାଂସଦ ସନ୍ ଇଣ୍ଟରନ୍ୟାସନାଲକୁ ଏହି ସୂଚନା ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଏହି ପ୍ରସ୍ତାବ ଦାଖଲ ହୋଇନାହିଁ। ନିକଟରେ ମାଳଦ୍ୱୀପ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବା ସଂକ୍ରାନ୍ତ ନିୟମକୁ ସରଳ କରାଯାଇଛି।

ଏମ୍ ଡିପି ଓ ଡେମୋକ୍ରାଟ୍ ଦଳର ମିଳିତ ଭାବେ ୫୬ ଜଣ ସାଂସଦ ଅଛନ୍ତି। ଏମାନଙ୍କ ମଧ୍ୟରୁ ୪୩ ଜଣ ଏମ୍ ଡିପିର ଏବଂ ୧୩ ଜଣ ଡେମୋକ୍ରାଟ୍ ଦଳର। ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତିଙ୍କ ଉପରେ ମହାଭିଯୋଗ ପ୍ରସ୍ତାବ ପାରିତ କରିବା ପାଇଁ ୫୬ଟି ଭୋଟ୍ ଆବଶ୍ୟକ। ସଂସଦରେ ବାଚସ୍ପତି ଓ ଉପବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାର ଗୋଟିଏ ଦିନ ପରେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଉପରେ ସମର୍ଥନ ସଂଗ୍ରହ କରାଯାଉଛି। ମାଳଦ୍ୱୀପ ସଂସଦରେ ବାଚସ୍ପତି ଓ ଉପବାଚସ୍ପତି ଏମଡିପିର ଅଟନ୍ତି।

ସଦ୍ୟତମ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଏମଡିପି ମୁଇଜୁଙ୍କ କ୍ୟାବିନେଟରେ ଚାରି ଜଣ ସଦସ୍ୟଙ୍କୁ ସାମିଲ କରିବା ବନ୍ଦ କରିଦେଇଥିଲା। ରବିବାର ଏହି ପ୍ରସଙ୍ଗରେ ସଂସଦରେ ମତଦାନ ବେଳେ ସଂଘର୍ଷ ହୋଇଥିଲା। ଏହାର ଅନେକ ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ଆସିଥିଲା । କିଛି ସାଂସଦ ମଧ୍ୟ ବାଚସ୍ପତିଙ୍କ ଚେୟାରରେ ହର୍ନ ବଜାଇ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.