ଲିଫ୍ଟ ଭିତରେ ୧୨ ବର୍ଷୀୟ ବାଳକଙ୍କୁ ଚାପୁଡ଼ା ମାରି କାମୁଡ଼ିଦେଲେ ବ୍ୟକ୍ତି

ଲିଫ୍ଟ ଭିତରେ ୧୨ ବର୍ଷୀୟ ବାଳକଙ୍କ ଉପରେ ଗୁଣ୍ଡାଗିରି

ମୁମ୍ବାଇ: ମହାରାଷ୍ଟ୍ରର ଆମ୍ବେରନାଥ ଅଞ୍ଚଳରେ ଏକ ଗୁଣ୍ଡାଗିରି ଘଟଣା ସାମ୍ନାକୁ ଆସିଛି। ପାଲେଗାଁ ଅଞ୍ଚଳର ପଟେଲ ଜେନନ ହାଉସିଂ ପ୍ରୋଜେକ୍ଟରେ ଜଣେ ବ୍ୟକ୍ତି ଲିଫ୍ଟ ଭିତରେ ୧୨ ବର୍ଷୀୟ ବାଳକଙ୍କୁ ଚାପୁଡ଼ା ମାରିବା ସହ କାମୁଡ଼ି ଓ ଛୁରାରେ ମାରିବାକୁ ଧମକ ଦେଇଥିବା ଘଟଣା ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି।

ଘଟଣାଟି ଜୁଲାଇ ୪ ତାରିଖ ଅପରାହ୍ନ ପ୍ରାୟ ୫ଟା ସମୟରେ ଘଟିଥିଲା। ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ, ଜଣେ ବ୍ୟକ୍ତି ଲିଫ୍ଟରେ ପ୍ରବେଶ କରି ବାଳକଟିକୁ ବାରମ୍ବାର ଚାପୁଡ଼ା ମାରୁଛନ୍ତି, ଧମକ ଦେଉଛନ୍ତି ଓ ତାଙ୍କ ହାତକୁ କାମୁଡ଼ି ଦେଉଛନ୍ତି।

ଏହା ପରେ ବାଳକଟି ଲିଫ୍ଟରୁ ବାହାରିବା ପରେ ମଧ୍ୟ ଅଭିଯୁକ୍ତ ତାଙ୍କୁ ବିଲ୍ଡିଂର ଲବିରେ ଆକ୍ରମଣ ଜାରି ରଖିଥିଲେ। ସିକ୍ୟୁରିଟି ଗାର୍ଡ ଓ ଅନ୍ୟ ବାସିନ୍ଦାମାନେ ହସ୍ତକ୍ଷେପ କରି ଏହାକୁ ରୋକିଥିଲେ।

ବାଳକଟି କହିଛନ୍ତି, “ମୁଁ ଲିଫ୍ଟର ରେ ଆସୁଥିବାବେଳେ ନବମ ମହଲାରେ ଲିଫ୍ଟ ଅଟକି ଥିଲା। ବାହାରେ କେହି ନଥିବାରୁ ମୁଁ ଲିଫ୍ଟର ଦ୍ୱାର ବନ୍ଦ କରିଦେଇଥିଲି। ଅଙ୍କଲ ଲିଫ୍ଟ ଭିତରେ ପଶି କିଛି ନକହି ମୋତେ ମାଡ଼ ମାରିବା ଆରମ୍ଭ କରିଦେଲେ। ମୁଁ କାହିଁକି ମାରୁଛନ୍ତି ବୋଲି ପଚାରିବାରୁ ସେ ମୋ ହାତକୁ କାମୁଡ଼ି କହିଲେ, ‘ବାହାରେ ମୋ ସାଙ୍ଗରେ ଦେଖା କର, ମୁଁ ତୋତେ ଛୁରୀ ଭୁସି ମାରିଦେବି।’ ମୁଁ ତାଙ୍କୁ ଧକ୍କା ଦେଇ ପଳେଇଲି।”

ବାଳକଙ୍କ ବାପା ଅଭିଯୋଗ କରି କହିଛନ୍ତି, “ମୋ ପୁଅ ତା’ର ପାଠପଢ଼ା ପାଇଁ ଯାଉଥିଲା। ୧୪ତମ ମହଲାରୁ ନବମ ମହଲାକୁ ଲିଫ୍ଟରେ ଆସୁଥିବା ବେଳେ ତା’ର ସାଙ୍ଗର ବାପା ଲିଫ୍ଟରେ ପଶି ମୋ ପୁଅକୁ ମାଡ଼ ମାରିବା ଆରମ୍ଭ କଲେ। ଲିଫ୍ଟ ଗ୍ରାଉଣ୍ଡ ଫ୍ଲୋରରେ ପହଞ୍ଚିବା ପରେ ମଧ୍ୟ ଲବିରେ ମାଡ଼ ମାରିବା ଜାରି ରଖିଥିଲେ। ମୋ ପୁଅର ବୟସ ମାତ୍ର ୧୨-୧୩ ବର୍ଷ, ଏବଂ ଏହି ବ୍ୟକ୍ତି ତାକୁ ଛୁରାରେ ମାରିବାକୁ ଧମକ ଦେଇଛି।” ସେ ପୁଲିସ ଆଗେ ଅଭିଯୋଗ କରି ଦାବି କରିଛନ୍ତି ଯେ ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉଛି।

ଏହି ଘଟଣାକୁ ନେଇ ପ୍ରାରମ୍ଭରେ ପୁଲିସ ଏକ ନନ-କଗ୍ନିଜେବଲ ମାମଲା ରୁଜୁ କରିଥିଲା। ପରିବାରର ତୀବ୍ର ବିରୋଧ ପରେ ଚାରି ଦିନ ପରେ ଏକ ଏଫଆଇଆର ଦାୟର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି, ଏବଂ ପୁଲିସର ତଦନ୍ତ ଜାରି ରହିଛି।