fbpx
BSKY SKY
BSKY SKY

ପ୍ରବଳ ଜାଡରେ ଚାଲିଗଲା ଫେରିଵାଲାଙ୍କ ଜୀବନ

BSKY

ରାୟଗଡ଼ା(ଓଡ଼ିଶା ଭାସ୍କର): ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ଶୀତ ଲହର ଜାରି ରହିଛି । ଦାରିଙ୍ଗିବାଡ଼ି, ଫୁଲବାଣୀ ଓ କନ୍ଧମାଳ ଆଦି ସ୍ଥାନରେ ହାଡଭଙ୍ଗା ଶୀତ ରେକର୍ଡ କରାଯାଇଛି । ଏହା ବି ଭିତରେ ଜାଡ଼ରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଅମ୍ବାଦଳା ସଦରରେ । ଏଠାରେ ଥିବା ସମୀରଣ ମାର୍କେଟ୍ କମ୍ପ୍ଲେକ୍ସ ବାରଣ୍ଡାରେ ଶୋଇଥିବା ସମୟରେ ପ୍ରବଳ ଥଣ୍ଡା ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ଗୁଡୁ ଖାଁ (୩୮) ହୋଇଥିବା ବେଳେ ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅଧିନସ୍ଥ ହାଟପଦା ସାହିରେ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଗୁଡୁ ଖାଁ ନିୟମିତ ଭାବେ ଆମ୍ବାଦଳା ଅଞ୍ଚଳରେ ମୂଷାମରା ଔଷଧ ବୁଲି ବୁଲି ବିକ୍ରି କରନ୍ତି । ଗତକାଲି ସେ ରାତିରେ ଅମ୍ବାଦଳା ଟାଉନ ସମୀରଣ କମ୍ପ୍ଲେକ୍ସ ବାରଣ୍ଡାରେ ଶୋଇ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅସହ୍ୟ ଜାଡ଼ ଯୋଗୁଁ ସକାଳ ୭ଟା ବେଳେ ତାଙ୍କର ମୃତଦେହକୁ ଦେଖିବାକୁ ପାଇଥିଲେ ଓ ଅମ୍ବାଦଳା ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ଚିହ୍ନଟ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ମୃତକଙ୍କ ପରିବାର ଘଟଣା ସ୍ଥଳରେ ପହଞ୍ଚିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ପ୍ରକାଶ ଥାଉକି, ରାୟଗଡ଼ା ଜିଲ୍ଲାରେ ପ୍ରବଳ ଜାଡ଼ ଜାରି ରହିଥିବା ବେଳେ ଗତ ତିନି ଦିନ ହେଲା ପାରଦ ୧୦ରୁ ୧୨ ଡିଗ୍ରି ତଳକୁ ଖସୁଛି।

 

Get real time updates directly on you device, subscribe now.