ନୂଆଦିଲ୍ଲୀ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତ ଶେଷ କରି ଫେରିଛନ୍ତି । ଫେରିବା ପରେ ସେ ବାଙ୍ଗାଲୁରୁର ଇସ୍ରୋର ବୈଜ୍ଞାନିକଙ୍କ ସହ ସାକ୍ଷାତ କରି ଚନ୍ଦ୍ରଯାନର ସଫଳତାକୁ ସେଲିବ୍ରେଟ କରିଛନ୍ତି । ଏହାପରେ ତାଙ୍କୁ ବାଙ୍ଗାଲୋର ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । କିନ୍ତୁ ଏହି ସମୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ମୋଦୀଙ୍କ ଅଭିଭାଷଣ ସମୟରେ ଅଚାନକ ଅଚେତ ହୋଇ ପଡ଼ିଛନ୍ତି ।
ସୂଚନା ଅନୁସାରେ, ପାଲମ ଏୟାରପୋର୍ଟ ବାହାରେ ପ୍ର୍ରଧାନମନ୍ତ୍ରୀ ଲୋକମାନଙ୍କୁ ସମ୍ବୋଧିତ କରୁଥିବା ବେଳେ ଜଣେ ବ୍ୟକ୍ତି ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଛନ୍ତି । ପ୍ରବଳ ଜନଗହଳି ସାଙ୍ଗକୁ ଅସହ୍ୟ ଗରମକୁ ସହି ନ ପାରି ବ୍ୟକ୍ତି ଜଣଙ୍କ ଚେତା ହରାଇଥିବା ଜାଣିବାକୁ ମିଳିଛି । ଫଳରେ ବ୍ୟକ୍ତି ଜଣକ ତଳେ ପଡି ଯାଇଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନଜର ତାଙ୍କ ଉପରେ ପଡିଥିଲା । ଏହାପରେ ମୋଦୀ ଭାଷଣ ବନ୍ଦ କରି ଡାକ୍ତରୀ ଟିମକୁ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ମୋଦୀଙ୍କର ଏହି କାର୍ଯ୍ୟକୁ ସମସ୍ତ ମହଲରୁ ପ୍ରଶଂସା କରାଯାଇଛି । ଜଣେ ପ୍ରକୃତ ନେତା ହିଁ ଜନତାଙ୍କ ଦୁଃଖ ବୁଝିପାରେ ବୋଲି ଅନେକ ଲୋକ ପ୍ରତିକ୍ରିୟା ରଖିଛନ୍ତି ।