ହତ୍ୟାର ରୂପ ନେଲା ଚୋରା ପୀରତି ସନ୍ଦେହ, ମାଆ ସହ ମିଶି ସ୍ୱାମୀକୁ ମର୍ଡର କଲା ସ୍ତ୍ରୀ, ମୃତଦେହକୁ କାରରେ ଫିଙ୍ଗିଦେଲା
ଏକ୍ସଟ୍ରା ମ୍ୟାରିଟାଲ୍ ଆଫେୟର୍ସ ସନ୍ଦେହରେ ସ୍ୱାମୀକୁ ମାରିଦେଲା ସ୍ତ୍ରୀ, ଶାଶୁ ବି ଏହି ମର୍ଡରରେ ସାମିଲ
ନୂଆଦିଲ୍ଲୀ: ଗତ ସପ୍ତାହରେ ବେଙ୍ଗଲୁରୁରେ ଜଣେ ରିୟଲ ଇଷ୍ଟେଟ ବିଜନେସମ୍ୟାନଙ୍କୁ, ତାଙ୍କ ସ୍ତ୍ରୀ ଏବଂ ଶାଶୂ ମିଶି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି, ୩୭ ବର୍ଷୀୟ ଲୋକନାଥ ସିଂହ ।
ଶନିବାର ଦିନ ଚିକ୍କାବନବାରାର ନିଚ୍ଛାଟିଆ ସ୍ଥାନରେ ଏକ କାର ଭିତରୁ ଲୋକନାଥ ସିଂହଙ୍କ ମୃତଦେହ ଉଦ୍ଧାର ହୋଇଛି ।
ପୋଲିସ କହିବାନୁଯାୟୀ, ଏହି ଅପରାଧ ଏକ୍ସଟ୍ରା ଆଫେୟର୍ସ ଏବଂ ବେଆଇନ ବେପାର ଯୋଗୁଁ ହୋଇଛି । ଏହି ଘଟଣାରେ ଶାଶୂ ଏବଂ ତାଙ୍କ ସ୍ତ୍ରୀଙ୍କୁ ହେପାଜତରେ ନିଆଯାଇଛି ଏବଂ ତାଙ୍କୁ ଜେରା କରାଯାଉଛି ।
ପୋଲିସ ଯାଞ୍ଚ କରି ଜାଣିବାକୁ ପାଇଛି ଯେ, ଲୋକନାଥ ସିଂହଙ୍କୁ ଏହି ଶାଶୂ-ସ୍ତ୍ରୀ ମିଶି ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ବେହୋସ କରିଦେଇଥିଲେ । ଏହାପରେ ତାଙ୍କୁ ଏକ ନିଚ୍ଛାଟିଆ ସ୍ଥାନକୁ କାରରେ ନେଇଯାଇଥିଲେ । ଏହାପରେ ସେଠାରେ ତାଙ୍କର ଗଳା କାଟିଦେଇଥିଲେ ମାଆ-ଝିଅ ।
ଲୋକନାଥଙ୍କ ପରିବାର ଲୋକେ ସେ ଭଲପାଉଥିବା ଝିଅକୁ ପସନ୍ଦ କରୁନଥିଲେ । ଏଥିପାଇଁ ଲୋକନାଥ ଏହି ଝିଅକୁ ବିବାହ କରି ବାହାରେ ରହୁଥିଲେ । କିଛିଦିନ ପରେ ତାଙ୍କ ସ୍ତ୍ରୀ ଏବଂ ଶାଶୂଘର ଲୋକେ ଜାଣିବାକୁ ପାଇଲେ ଯେ, ଲୋକନାଥଙ୍କର କାହା ସହ ଚୋରା ପୀରତି ଚାଲିଛି ଏବଂ ସେ ବେଆଇନ ଭାବେ ବିଜନେସ କରୁଛନ୍ତି ।
ଏହି ଘଟଣା ପରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ ଯୁକ୍ତି ତର୍କ ହୋଇଥିଲା । ଏହାପରେ ଲୋକନାଥଙ୍କୁ ତାଙ୍କ ଶାଶୂ ଘର ଲୋକେ ଧମକାଇବାକୁ ଚେଷ୍ଟା କଲେ । ଏହାର କିଛିଦିନ ପରେ ମାଆ-ଝିଅ ମିଶି ଲୋକନାଥଙ୍କର ଏପରି ହତ୍ୟା କରିଥିବା ପୋଲିସ କହିଛି ।