ପ୍ୟାର କେ ଲିଏ କୁଛ ବି କରେଗା… ଦରମା ମାତ୍ର 13 ହଜାର ହେଲେ ପାଖରେ ଅଛି BMW, ଗର୍ଲଫ୍ରେଣ୍ଡକୁ ଫ୍ଲାଟ ଗିଫ୍ଚ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଛତ୍ରପତି ସମ୍ୱଜିନଗରର ଡିଭିଜନାଲ ସ୍ପୋର୍ଟସ କମ୍ପ୍ଲେକ୍ସରେ 21 କୋଟି 59 ଲକ୍ଷ ଟଙ୍କା ସ୍କାମ ହୋଇଛି। ଏହି ଘୋଟାଲା ବିଷୟରେ ସୂଚନା ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହା କିପରି ସମ୍ଭବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ଜଣେ ସରକାରୀ କର୍ମଚାରୀ କୋଟି କୋଟି ଟଙ୍କା ଠକେଇ କରି ବିଏମଡବ୍ଲୁ କାର ଏବଂ ବାଇକ କିଣିଥିଲେ। ଏପରିକି ସେ ତାଙ୍କ ଗର୍ଲଫ୍ରେଣ୍ଡକୁ 4BHK ଫ୍ଲାଟ ଉପହାର ଦେଇଥିଲେ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଯୁବକଜଣକ ଚୁକ୍ତିରେ କାମ କରୁଥିଲେ ଏବଂ ତାଙ୍କର ଦରମା ମାତ୍ର 13,000 ଟଙ୍କା ଥିଲା । ଅଭିଯୁକ୍ତ ତାଙ୍କ ସହଯୋଗୀଙ୍କ ସହ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଆଡମିନିଷ୍ଟ୍ରେସନ୍ ସହିତ ଏହି ମନିପୁଲେସନ୍ କରିଥିଲେ। ଖବର ସାମ୍ନାକୁ ଆସିବା ପରେ ସେ ବର୍ତ୍ତମାନ ଫେରାର ରହିଥିବା ଜଣାପଡିଛି ।

ତେବେ ତଦନ୍ତ ସମୟରେ ସମସ୍ତ ବିଷୟ ସାମ୍ନାକୁ ଆସିଥିଲା । 23 ବର୍ଷ ବୟସ୍କ ଯୁବକ କେଉଁ ପ୍ରକାରର ଯୋଜନା ପ୍ରସ୍ତୁତ କରିଥିଲେ ତାହା ଅନୁସନ୍ଧାନରୁ ଜଣାପଡିଛି। ସ୍ପୋର୍ଟସ କମ୍ପ୍ଲେକ୍ସର ପୁରୁଣା ଚିଠି ବ୍ୟବହାର କରି ହର୍ଷ ବ୍ୟାଙ୍କକୁ ମେଲ କରିଥିଲେ ଏବଂ ସ୍ପୋର୍ଟସ କମ୍ପ୍ଲେକ୍ସର ଆକାଉଣ୍ଟ ସହିତ ଜଡିତ ଇମେଲ ଠିକଣା ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ। ସେ ସ୍ପୋର୍ଟସ କମ୍ପ୍ଲେକ୍ସର ଆକାଉଣ୍ଟ ସହିତ ସମାନ ଠିକଣାରେ ଏକ ନୂତନ ଇମେଲ ଆକାଉଣ୍ଟ ଖୋଲିଥିଲେ ।  ଏହାପରେ ହର୍ଷଲ ଡିଭିଜନାଲ ସ୍ପୋର୍ଟସ କମ୍ପ୍ଲେକ୍ସ କମିଟିର ବ୍ୟାଙ୍କ ଆକାଉଣ୍ଟରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ସକ୍ରିୟ କରିଥିଲେ। ଚଳିତ ବର୍ଷ ଜୁଲାଇ 1 ରୁ ଡିସେମ୍ବର 7 ମଧ୍ୟରେ ସେ 13 ଟି ବ୍ୟାଙ୍କ ଆକାଉଣ୍ଟକୁ 21.6 କୋଟି ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି । ତେବେ ମାମଲା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି ।