ଯିଏ ଦେଖୁଛି କରୁଛି ପ୍ରଶଂସା, ଦିନକୁ ୩୦୦୦ ପୁସ୍ଅପ୍ସ ସହିତ ଦୌଡ଼ୁଛନ୍ତି ୨୦ କି.ମି.

ପାଟନା: ବିହାର ବଗହାର ପାକଡା ଗାଁରେ ପ୍ରତିଟି ବ୍ୟକ୍ତିଙ୍କ ମୁହଁରେ ଏବେ ଜଣଙ୍କ ନାଁ ଆଉ ସେ ହେଲେ ବିହାରୀ ଟାରଜନ । ନାଁ’ଟା ପଢ଼ିଲାବେଳକୁ ଅଜବ ଲାଗୁଥିବ ନିଶ୍ଚୟ, କିନ୍ତୁ ଏ ଯୁବକଙ୍କ କାମ ବି କିଛି ସାଧାରଣ ନୁହେଁ । ପ୍ରତ୍ୟେକ ଦିନ ୨୦ କିଲୋମିଟର ଦୌଡ଼ିବା ସହ ୩୦୦୦ ପୁସ୍ଅପ୍ସ ମାରନ୍ତି ବିହାରୀ ଟାରଜନ । ନିଜର ଅଦ୍ଭୁଦ ଷ୍ଟାମିନା ପାଇଁ କିଛି ଲୋକ ତାଙ୍କୁ ବିହାରର ଉସେନ୍ ବୋଲ୍ଟ ମଧ୍ୟ କହୁଛନ୍ତି ।

ତାଙ୍କ ପ୍ରକୃତ ନାମ ରାଜା । ଫିଟ୍ ରହିବାକୁ ସେ ପସନ୍ଦ କରନ୍ତି । ପ୍ରତ୍ୟେକ ଦିନ ସକାଳ ୪ଟାରେ ଉଠି ନିତ୍ୟକର୍ମ ସାରି ଦୌଡ଼ିବାକୁ ବାହାରନ୍ତି । ନିତିଦିନ ସେ ୨୦ରୁ ୨୫ କିଲୋମିଟର ଦୂର ଦୌଡ଼ୁଥିବା କୁହନ୍ତି । ଏହାପରେ ସେ କିଛି ସମୟ ପୁସ୍ଅପ୍ସ ଏବଂ ପୁଲ୍ଅପ୍ସ କରନ୍ତି । ରଶି ସାହାର୍ଯ୍ୟରେ ଚଢ଼ିବା, ହାତରେ ଭରା ଦେଇ ରାସ୍ତାରେ ଚାଲିବା ଟ୍ରକ୍ ଟାୟାରକୁ ରାଜା ଏକାକୀ ଟେକୁଥିବା ମଧ୍ୟ ଦେଖିବାକୁ ମିଳିଛି । ଚଳନ୍ତା କାରକୁ ଟକ୍କର ଦେଇ ରାସ୍ତାରେ ପବନ ବେଗରେ ଦୌଡ଼ୁଥିବା ଭଳି ଭିଡିଓ ମଧ୍ୟ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକୁ ୟୁଜର୍ସ ପସନ୍ଦ କରିବା ସହ ରାଜାଙ୍କୁ ଲୋକେ ପ୍ରଶଂସା କରିବାକୁ ମଧ୍ୟ ପଛାଉ ନାହାନ୍ତି । ଏ ସବୁ କେବଳ ସମ୍ଭବପର ହୋଇଛି ତାଙ୍କ ଫିଟନେସ ପାଇଁ । କୁସ୍ତି ପ୍ରତି ଥିବା ରୁଚି ତାଙ୍କୁ ନିଜ ବାପାଙ୍କଠାରୁ ମିଳିଛି । ଶରୀରକୁ ଫିଟ୍ ରଖିବା ପାଇଁ କେବଳ ବ୍ୟାୟାମର ଆବଶ୍ୟତା ରହିଛି ତା’ ନୁହେଁ, ଏହାଛଡ଼ା ମାନସିକ ଶାନ୍ତି ମଧ୍ୟ ଜରୁରୀ, ଯାହାକୁ ସେ ସବୁବେଳେ ମେଣ୍ଟେନ୍ କରି ରଖୁଥିବା କହିଛନ୍ତି ।