fbpx

ଆଗାମୀ ୧୦ ମିନଟରେ ହେବ ଭୟଙ୍କର ବ୍ଲାଷ୍ଟ! ଏମିତି କହି ଫୋନ କାଟିଦେଲେ ଯୁବକ, ଆଉ ତା ପରେ…

ମୁମ୍ବାଇ: ଆଗାମୀ ୧୦ ମିନିଟ ଭିତରେ କୁର୍ଲାରେ ଏକ ବଡ ଧରଣର ବିସ୍ଫୋରଣ ହେବ । ବାସ୍ ଏତିକି କହି ଫୋନ କାଟି ଦେଲେ ଜଣେ ଅଜଣା ବ୍ୟକ୍ତି । ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏମିତି ଏକ ଫୋନ କଲ୍ ମିଳିବା ପରେ ହଠାତ ସାରା ଅଞ୍ଚଳରେ ବଢିଯାଇଛି ସୁରକ୍ଷା ବ୍ୟବସ୍ଥା । ତତ୍ପର ହେବା ସହ ସଜାଗ ହୋଇ ଉଠିଛି ମୁମ୍ବାଇ ପୋଲିସ । କୁର୍ଲା ଅଞ୍ଚଳର ଜାଗା ଜାଗାରେ ଏବେ ପ୍ରହରା ଦେଉଛି ପୋଲିସ ଡିପାର୍ଟମେଣ୍ଟ ।

ସୂଚନା ଅନୁସାରେ, ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଗତ ମଙ୍ଗଳବାର ଏକ ଫୋନ କଲ୍ ଆସିଥିଲା । ଫୋନ ଆରପଟରୁ ଜଣେ ଅଜଣା ବ୍ୟକ୍ତି ନିଜ ପରିଚୟ ଦେବା ପୂର୍ବରୁ କହିଥିଲେ ଯେ, “ଆଗାମୀ ୧୦ ମିନିଟ ମଧ୍ୟରେ ୱେଷ୍ଟ କୁର୍ଲାରେ ଏକ ବିସ୍ଫୋରଣ ହେବାକୁ ଯାଉଛି । ତେଣୁ ଆପଣମାନେ ଯାହା କରିବାକୁ ଚାହୁଁଛନ୍ତି କରିନିଅନ୍ତୁ ।” ଏହାପରେ ପୋଲିସ ଅଧିକାରୀ କିଛି ପଚାରିବା ପୂର୍ବରୁ ସେପଟୁ କଲ୍ ଟି କଟି ସାରିଥିଲା । ସେହି ସମୟଠାରୁ ପୋଲିସ ବାରମ୍ବାର ସେହି ନମ୍ବର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ରହିଛି । ତେବେ ଖବର ଶୁଣିବା ପରେ ପୋଲିସ କୁର୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ଯାଞ୍ଚ ଆରମ୍ଭ କରିଛି ।

କୁର୍ଲାରେ ବିସ୍ଫୋରଣ ଧମକ ପାଇବା ପରେ ପୋଲିସ ବିଭାଗ ପାଇଁ ଏହା ଏକ ଚାଲେଞ୍ଜ ସଦୃଶ ଘଟଣା ହୋଇଯାଇଥିଲା । କାରଣ କୁର୍ଲା ହେଉଛି ଏକ ଜନଗହଳି ପୂର୍ଣ୍ଣ ସ୍ଥାନ । ତେଣୁ ଯଦି ଏଠାରେ ବିସ୍ଫୋରଣ ହୁଏ, ତେବେ ଅନେକ ଜନଜୀବନ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଘଣ୍ଟା ଘଣ୍ଟା ଅଞ୍ଚଳରେ ପ୍ରହରା ଦେବା ପରେ ମଧ୍ୟ କୌଣସି ବିସ୍ଫୋରଣ ହୋଇ ନଥିଲା । ଏହାପରେ ପୋଲିସ ଜାଣିବାକୁ ପାଇଥିଲା ଯେ, କେହି ବ୍ୟକ୍ତି ପୋଲିସକୁ ଏପରି ମିଥ୍ୟା ଧମକ ଦେଇ ଡରାଇବାକୁ ଚେଷ୍ଟା କରିଥିଲା । ତେଣୁ ଏହାର କାରଣ ଖୋଜିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ ।

Get real time updates directly on you device, subscribe now.