fbpx

ଗୋ ମୂତ୍ର ସମ୍ପର୍କରେ ବିବାଦୀୟ ପୋଷ୍ଟ; ଫସିଲେ ସାମ୍ବାଦିକ

ଇମ୍ଫାଲ୍: ଗୋ ମୂତ୍ର ସମ୍ପର୍କରେ ବିବାଦୀୟ ମତ ଦେଇ ସୋଶାଲ୍ ମିଡିଆରେ ପୋଷ୍ଟ କରିବା ଜଣେ ସାମ୍ବାଦିକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ସମ୍ପୃକ୍ତ ସାମ୍ବାଦିକଙ୍କ ସମେତ ଜଣେ ସାମାଜିକ କର୍ମୀ ମଧ୍ୟ ଗିରଫ ହୋଇଛନ୍ତି । ସାମ୍ବାଦିକ ଜଣଙ୍କ ହେଉଛନ୍ତି କିଶୋର ଚନ୍ଦ୍ର ୱାଙ୍ଗଖେମ୍ ଏବଂ ଅନ୍ୟ ଜଣଙ୍କ ହେଉଛନ୍ତି ଏରେନଡ୍ରୋ ଲେଇଚୋମ୍ବାମ୍ । ଉଭୟଙ୍କୁ ଜାତୀୟ ସୁରକ୍ଷା ନିୟମ (NSA) ଆଧାରରେ ପୁଲିସ୍ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ମଣିପୁର ରାଜ୍ୟ ବିଜେପି ସଭାପତି ସାଇଖୋମ୍ ଟିକେନ୍ଦ୍ର ସିଂଙ୍କ ଗତ ୧୩ ତାରିଖରେ ଦେହାନ୍ତ ଘଟିଥିଲା । କରୋନା ସଂକ୍ରମଣ ଜନିତ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ଉକ୍ତ ଦିନ ହିଁ ଉଭୟ ଅଭିଯୁକ୍ତ ବିଜେପି ଦଳକୁ ଟାର୍ଗେଟ୍ କରି ବିବାଦୀୟ ପୋଷ୍ଟ ଲେଖିଥିଲେ । ଗେରୁଆ ବାହିନୀ ଏଣିକି ଗୋ-ମୂତ୍ର ଓ ଗୋବରର ଉପକାରିତା ନେଇ ଅପପ୍ରଚାର କରନ୍ତୁ ନାହିଁ, ଏହା କୌଣସି ପ୍ରକାରେ କରୋନା ସଂକ୍ରମଣକୁ ପ୍ରତିହତ କରିପାରେନା ଭଳି ସୋଶାଲ୍ ମିଡିଆରେ ଉଭୟ ଅଭିଯୁକ୍ତ ଅଲଗା ଅଲଗା ପୋଷ୍ଟ କରିଥିଲେ ।

ସାମ୍ବାଦିକ ୱାଙ୍ଗଖେମ୍ ଫେସବୁକ୍ ରେ ଲେଖିଥିଲେ ଯେ ଗୋ ମୂତ୍ର ଓ ଗୋବର କୌଣସି କାମକୁ ନୁହେଁ । ଏସବୁ ଧାରଣା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ ଉଲ୍ଲେଖ କରିଥିବାବେଳେ ଲେଇଚୋମ୍ବାମ୍ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ ଗୋ ମୂତ୍ର ବା ଗୋବର ଦ୍ୱାରା କରୋନାରୁ ଆରୋଗ୍ୟ କେହି ହୁଅନ୍ତି ନାହିଁ । ବିଜ୍ଞାନ ହିଁ ପ୍ରତିକାରର ରାସ୍ତା ବୋଲି ଦର୍ଶାଇବା ସହ ବିଜେପି ସଭାପତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତେବେ ଏନେଇ ମଣିପୁର ବିଜେପି ଉପାଧ୍ୟକ୍ଷ ଉଷମ ଦେବେନ ସିଂ ଓ ସାଧାରଣ ସମ୍ପାଦକ ପି ପ୍ରେମାନନ୍ଦ ମୀଟେଇ ପୁଲିସ୍ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଉକ୍ତ ଦିନ ହିଁ ମଣିପୁର ପୁଲିସ୍ ଉଭୟ ଅଭିଯୁକ୍ତଙ୍କୁ NSA ଅନୁସାରେ ଗିରଫ କରିଥିଲା ।

ଇତିମଧ୍ୟରେ ସାମ୍ବାଦିକ ୱାଙ୍ଗଖେମ୍ ଓ ଲେଇଚୋମ୍ବାମ୍ ଙ୍କୁ ଇମ୍ଫାଲ୍ କୋର୍ଟ ବେଲ୍ ପ୍ରଦାନ କରିସାରିଛନ୍ତି । ଏଥିସହ ପୁଲିସକୁ ସମାଲୋଚନା ପୂର୍ବକ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଅପରାଧିକ କାର୍ଯ୍ୟକଳାପ ନେଇ ଧାରା ୪୧ଅନୁସାରେ ପୁଲିସ୍ ଜଣଙ୍କୁ ସାଧାରଣ ଭାବେ ଗିରଫ କରିପାରିବନି । ଗିରଫଦାର ପାଇଁ ସବିଶେଷ କାରଣ ରହିବା ଦରକାର ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.