fbpx

ମଣିପୁର ହିଂସା ଘଟଣା: ୭ ମାସ ପରେ ୬୪ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ କରାଗଲା ଏୟାରଲିଫ୍ଟ 

ଇମ୍ଫାଲ: ମଣିପୁରର ଜାତିଗତ ହିଂସାରେ ପ୍ରାଣ ହରାଇଥିବା ୬୪ ଜଣଙ୍କ ମୃତଦେହକୁ ଗୁରୁବାର ଅନ୍ତିମ ସଂସ୍କାର ପାଇଁ ଏୟାରଲିଫ୍ଟ କରାଯାଇଛି। ତେବେ ଏଘଟଣାକୁ ୭ ମାସ ବିତିଯାଇଥିଲେ ମଧ୍ୟ ଆଜିବି ସମସ୍ତଙ୍କ ମନରେ ଡ଼ର ସୃଷ୍ଟି କରୁଛି। ଏହି ହିଂସା କାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହଗୁଡ଼ିକୁ ‘ସଭ୍ୟ ଏବଂ ସମ୍ମାନଜନକ’ ଭାବେ ଅନ୍ତିମ ସଂସ୍କାର କରିବାକୁ ସୁପ୍ରିମକୋର୍ଟ ଗତ ନଭେମ୍ବର ୨୯ ତାରିଖରେ ମଣିପୁର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ମୃତଦେହଗୁଡ଼ିକର ଏୟାରଲିଫ୍ଟିଂ କରାଯାଇଛି।

କୁକି-ଜୋ ସମ୍ପ୍ରଦାୟର ୬୦ ଜଣଙ୍କ ମୃତଦେହ ଇମ୍ଫାଲରୁ ଚୁରାଚାନ୍ଦପୁର ଏବଂ କାଙ୍ଗପୋକ୍ପି ଜିଲ୍ଲାର ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଇଛି ବୋଲି ରାଜ୍ୟ ଅଧିକାରୀମାନେ କହିଛନ୍ତି। ସେହିପରି ଚୁରାଚାନ୍ଦପୁର ସହରରୁ ୪ ଜଣ ମେଇତିଙ୍କ ମୃତଦେହ ଇମ୍ଫାଲ କୁ ଅଣାଯାଇଥିଲା। ଇମ୍ଫାଲର ଦୁଇଟି ଏବଂ ଚୁରାଚାନ୍ଦପୁରର ଗୋଟିଏ ହସ୍ପିଟାଲର ଶବଗୃହରେ ମୃତଦେହ ପଡ଼ିରହିଥିଲା। ଉଭୟ ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ବାହାରକୁ ନିଆଯାଇ ଗନ୍ତବ୍ୟ ସ୍ଥଳରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଇଟିଏଲଏଫ ଅନୁଯାୟୀ, ୪୧ ଟି ମୃତଦେହକୁ ଚୁରାଚାନ୍ଦପୁର ଏବଂ ୧୯ ଟି କୁକି ବହୁଳ ପାହାଡିଆ ଜିଲ୍ଲା କାଙ୍ଗପୋକପିକୁ ନିଆଯାଇଛି । ମୃତଦେହ ଗୁଡ଼ିକୁ ନେବା ପାଇଁ ଦୁଇଟି ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଥିଲା।

ଶୁକ୍ରବାର କାଙ୍ଗପୋକପିର ଫାଇଜଙ୍ଗ ଗ୍ରାମରେ ୧୯ ଜଣ ଲୋକଙ୍କ ସାମୂହିକ ଶବ ଦାହ କରାଯିବା ନେଇ ଆଇଟିଏଲଏଫର ଜଣେ ମୁଖପାତ୍ର କହିଛନ୍ତି। ଚୁରାଚାନ୍ଦପୁରରେ ଅନ୍ୟ ୪୧ ଜଣଙ୍କ ଅନ୍ତିମ ସଂସ୍କାର ପାଇଁ ତାରିଖ ସ୍ଥିର ହୋଇନାହିଁ। ସେପଟେ ଅନ୍ତିମ ସଂସ୍କାର କାର୍ଯ୍ୟ ପାଇଁ କୁକି-ଜୋ ସଂଗଠନ ଆଦିବାସୀ ଏକତା କମିଟି ଶୁକ୍ରବାର ସକାଳ ୫ଟାରୁ କଙ୍ଗପୋକପି ଜିଲ୍ଲାରେ ୧୨ ଘଣ୍ଟିଆ ‘ସମ୍ପୂର୍ଣ୍ଣ ବନ୍ଦ’ ଘୋଷଣା କରିଛି। କ୍ଷତିପୂରଣ ଓ ଥଇଥାନ ପାଇଁ କମିଟି କହିଛି ଯେ ଏବେବି ୮୮ଟି ବେଆଇନ ଏବଂ ୬ଟି ଅଚିହ୍ନା ମୃତଦେହ ରହିଛି। ଯାହା ହିଂସା କାଣ୍ଡ ପରେ ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ମୃତଦେହ ଗୁଡ଼ିକୁ ଚିହ୍ନଟ କରାଯାଇନଥିଲା।

 

Get real time updates directly on you device, subscribe now.