fbpx

‘ମନ୍ କି ବାତ୍‌, ଭାରତ କି ବାତ୍‌’: ଜୁନ୍ ୨ ରାତି ୮ ଟାରେ HistoryTV18 ରେ ପ୍ରସାରିତ ହେବ ଏହି ପ୍ରଭାବଶାଳୀ ଶୋ’

ନୂଆଦିଲ୍ଲୀ : ଅକ୍ଟୋବର ୩, ୨୦୧୪ ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍‌’ ଏବେ ଟିଭି ପରଦାରେ ପ୍ରସାରଣ ହେବ । ହିଷ୍ଟ୍ରୀ ଟିଭି ୧୮ରେ ପ୍ରଧାନମନ୍ତ୍ରୀଙ୍କ ଶୋ କୁ ନେଇ ନୂତନ ଡକ୍ୟୁମେଣ୍ଟାରୀ ‘ମନ କି ବାତ୍ ଭାରତ କି ବାତ୍‌’ ଲଞ୍ଚ ହେବାକୁ ଯାଉଛି । ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨ ଶୁକ୍ରବାର ସନ୍ଧ୍ୟା ୮ ଟାରେ ହିଷ୍ଟ୍ରୀ ଟିଭି ୧୮ ରେ ପ୍ରସାରିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍‌’  ଦେଶର ନାଗରିକଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତାଳାପ ପାଇଁ ଏକ ମଞ୍ଚ ହୋଇପାରିଛି ଏବଂ ଏହା ଭାରତର ପ୍ରତ୍ୟେକ କୋଣରେ କିପରି ସକରାତ୍ମକ ପରିବର୍ତ୍ତନ ଆଣିଛି ତାହା ଏହି ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଦେଖିବାକୁ ମିଳିବ । ଏହି ରେଡିଓ ଶୋ ନିକଟରେ ଏକ ଶହ ଏପିସୋଡର ମାଇଲଖୁଣ୍ଟ ହାସଲ କରିଛି ।

୨୦୧୪ ରେ ମୋଦୀଙ୍କ ‘ମନ୍ କି ବାତ’ ରେଡିଓ କାର୍ଯ୍ୟକ୍ରମ କିପରି ସୃଷ୍ଟି ହେଲା ଏବଂ ଏହାର ପ୍ରକୃତ ଲକ୍ଷ୍ୟ କ’ଣ ଥିଲା ତାହା ଉପରେ ଏହି ଡକ୍ୟୁମେଣ୍ଟାରୀ ପର୍ଯ୍ୟବେଶିତ । ଏକ ସରଳ ଚିନ୍ତାଧାରା କିଭଳି ଭାବରେ ଦେଶର କୋଣ ଅନୁକୋଣକୁ ଏକ ବନ୍ଧନରେ ଯୋଡି ରଖିବାରେ ସକ୍ଷମ ହୋଇଛି ଏବଂ ଦୂରଦୂରାନ୍ତରର ପରିବର୍ତ୍ତନକୁ ପ୍ରେରଣା ଦେଇଛି ଏହି ଡକ୍ୟୁମେଣ୍ଟାରୀ ଦେଖିବାକୁ ମିଳିବ ।

ପ୍ରଖ୍ୟାତ ଗୀତିକାର ତଥା ଟେଲିଭିଜନ ଜଣାଶୁଣା ଚେହେରା ମନୋଜ ମୁନ୍ତଶିରଙ୍କ ଦ୍ୱାରା ଏହି ଡକ୍ୟୁମେଣ୍ଟାରୀକୁ ପ୍ରସ୍ତୁତ କରାଯାଇଛି । ଏଥିରେ ଶିକ୍ଷକ, ଲେଖକ ତଥା ପରୋପକାରୀ ବ୍ୟକ୍ତି ବିଶେଷ, ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ବିରେନ୍ଦର ସେହୱାଗ, ବରିଷ୍ଠ ସାମ୍ବାଦିକ ସ୍ମିତା ପ୍ରକାଶ, ସିବିଏଫସି ଅଧ୍ୟକ୍ଷ ପ୍ରସୁଣ ଯୋଶୀ ଏବଂ ଆଧ୍ୟାତ୍ମିକ ଗୁରୁ ସାଧଗୁରୁ ଏବଂ ରବି ଶଙ୍କରଙ୍କ ସମେତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତକାର ରହିଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରେରଣା ଦେଇଥିବା କାହାଣୀ ମଧ୍ୟ ପ୍ରଦର୍ଶିତ ହେବ।

ଏପ୍ରିଲ୍ ୩୦, ୨୦୨୩ ରେ ‘ମନ୍ କି ବାତ୍‌’ର ୧୦୦ ତମ ଏପିସୋଡ୍ ପ୍ରସାରିତ ହେବାପରେ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି । ଅଗଣିତ ଭାରତୀୟ ଯେଉଁମାନେ ଆତ୍ମନିର୍ଭରଶୀଳତା, ସକରାତ୍ମକତା ଏବଂ ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସେମାନଙ୍କ ପାଇଁ ଏହି ଡକ୍ୟୁମେଣ୍ଟାରୀ ଉତ୍ସର୍ଗ କରାଯାଇଛି । ମାସିକ ରେଡିଓ କାର୍ଯ୍ୟକ୍ରମ ଦେଶର ଅଗ୍ରଣୀ ଶକ୍ତି ସହିତ ଦ୍ୱିପାକ୍ଷିକ ଯୋଗାଯୋଗ ପାଇଁ ଏକ ପ୍ଲାଟଫର୍ମରେ କିପରି ପରିଣତ ହେଲା ଯାହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ସହରରୁ ଗାଁ ପର୍ଯ୍ୟନ୍ତ ପ୍ରତ୍ୟେକ ଜନତାଙ୍କ ସହ କିଭଳି ଭାବରେ ଯୋଡି ହେଲେ ତାହାର ଚିତ୍ରଣ ଏହି ଡକ୍ୟୁମେଣ୍ଟାରୀରେ ଦେଖିବାକୁ ମିଳିବ ।

ମହିଳା ସଶକ୍ତିକରଣ ଏବଂ ଶିକ୍ଷା ଠାରୁ ଆରମ୍ଭ କରି ଚାଷୀଙ୍କ ପାଇଁ ନିରନ୍ତର ଚାଷ ପ୍ରଣାଳୀ ଏବଂ ପରିବେଶ ସଂରକ୍ଷଣ ପର‌୍ୟ୍ୟନ୍ତ ‘ମନ କି ବାତ’ ରେ ବିଭିନ୍ନ ପ୍ରସଙ୍ଗକୁ ସମ୍ବୋଧିତ କରାଯାଇଥିଲା। ଯୋଗ ଏବଂ ସୁସ୍ଥ ଜୀବନଯାପନର ଲୋକପ୍ରିୟତା ଦିଗରେ ଏହାର ଯଥେଷ୍ଟ ଅବଦାନ ରହିଛି । କରୋନା ଭାଇରସ୍ ସମୟରେ ମନ କି ବାତ୍ କାର୍ଯ୍ୟକ୍ରମ କିଭଳି ଭାବରେ ଦେଶର ଜନତା ଓ କରୋନାଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲା ଏବଂ ଲଢିବା ପାଇଁ ଦୃଢ ମନବଳ ସଞ୍ଚାର କରିଥିଲା ତାହା ମଧ୍ୟ ଏହି ଡକ୍ୟୁମେଣ୍ଟାରୀରେ ଦର୍ଶାଯାଇଛି ।

Get real time updates directly on you device, subscribe now.