CHARIDHAM

ମନୋରଞ୍ଜନ ପରିଡ଼ାଙ୍କୁ IRCର ସଭାପତି ଦାୟିତ୍ୱ: ୯୦ ବର୍ଷ ମଧ୍ୟରେ ତୃତୀୟ ଓଡ଼ିଆ ଭାବେ ପାଇଲେ ଏହି ପଦବୀ

ଭୁବନେଶ୍ୱର: ଆଇ.ଆର୍.ସି. ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ପରିଡ଼ା । ୧୧ ନଭେମ୍ବର ୨୦୨୪ ରେ ରାୟପୁର ଠାରେ ଅନୁଷ୍ଠିତ ହେଇଥିବା ଆଇ.ଆର୍.ସି.ର ବାର୍ଷିକ ଅଧିବେଶନରେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଆଇ.ଆର୍.ସି. ରାଜପଥ, ସେତୁ ଏବଂ ସୁଡଙ୍ଗ ଭଳି ରାଜପଥ ଭିତ୍ତିଭୂମିର କାର୍ୟ୍ୟ କରୁଥିବା ରାଜପଥ ଇଞ୍ଜିନିୟରମାନଙ୍କ ସର୍ବବୃହତ ପେସାଦାର ସଂସ୍ଥା ଅଟେ। ଆଇ.ଆର୍.ସି. ଇତିହାସରେ ଗତ ୯୦ ବର୍ଷ ମଧ୍ୟରେ ସେ ତୃତୀୟ ଓଡ଼ିଆ ଭାବେ ଏହି ମର୍ୟ୍ୟାଦାଜନକ ପଦବୀରେ ନିଯୁକ୍ତି ପାଇଛନ୍ତି ।

ପ୍ରଫେସର ପରିଡା ୟୁ.ସି.ଇ. ବୁର୍ଲା (ବର୍ତ୍ତମାନର ଭି.ଏସ୍.ଏସ୍.ୟୁ଼.ଟି. ବୁର୍ଲା) ର ପୂର୍ବତନ ଛାତ୍ର । ସି.ଏସ୍.ଆଇ, ଆର୍-ସି.ଆର, ଆର.ଆଇ. ରେ ଯୋଗଦେବା ପୂର୍ବରୁ ସେ ଆଇ.ଆଇ.ଟି. ରୁର୍କିର ଉପନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିଛନ୍ତି। ସେ ୨୦୧୩-୨୭ ମଧ୍ୟରେ ଆଇ.ଆଇ.ଟି. ରୁର୍କିରେ ଭାରତର ରାଜପଥ ବ୍ୟବସ୍ଥାର ବିକାଶ ଉପରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଚେୟାର ପ୍ରଫେସର ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି। ଦିଲ୍ଲୀରେ ଫ୍ଲାଏଓଭର ପାଇଁ ‘ଡିଜାଇନ୍ ଏବଂ ନଏଜ୍ ବ୍ୟାରିଅର୍‌ର ଡ଼ିଜାଇନ୍ ଏବଂ ଡେଭଲପମେଣ୍ଟ’ ପ୍ରଫେସର ପରିଡ଼ାଙ୍କ ଏକ ଅଭିନବ ଅବଦାନ ରହିଛି। ଏହାବ୍ୟତୀତ, ଆର.ଏସ୍.ଭି.ଓ୍ବାଇ. ପ୍ରକଳ୍ପ ଅଧୀନରେ ବିହାର ରାଜ୍ୟରେ ୨୦୦୭-୧୩ ମଧ୍ୟରେ, ୧୭୦୦ କିଲୋମିଟର ରାଜ୍ୟ ରାଜପଥର ତୃତୀୟ ପକ୍ଷ ଗୁଣବତ୍ତା ଅଡିଟ୍ ପାଇଁ ଉନ୍ନତ ସୂଚନା ପ୍ରଦାନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଜଣେ ଶିକ୍ଷାବିତ୍ ଭାବେ ପ୍ରଫେସର ପରିଡ଼ା ୩୫ଟି ପି.ଏଚ.ଡ଼ି ତଦାରଖ କରିବା ସହ ବିଭିନ୍ନ ଜର୍ଣ୍ଣାଲ/କନଫରେନ୍ସରେ ୪୫୦ ରୁ ଅଧିକ ଗବେଷଣାପତ୍ର ପ୍ରକାଶ କରିଛନ୍ତି। ସେ ତାଙ୍କ ଜୀବନକାଳ ମଧ୍ୟରେ ୩୫୦ ରୁ ଅଧିକ ସହରାଞ୍ଚଳ ସଡ଼କ ଭିତ୍ତିଭୂମି ପ୍ରକଳ୍ପ, ଇଣ୍ଟରସିଟି କରିଡର, ଗ୍ରାମାଞ୍ଚଳ ସଡ଼କ ଏବଂ ଏକ୍ସପ୍ରେସ୍ ରାସ୍ତା ପାଇଁ ପରାମର୍ଶ ପ୍ରଦାନ କରିଛନ୍ତି । ସି.ଆର.ଆର.ଆଇ. ର ନିର୍ଦ୍ଦେଶକ ଭାବେ ଷ୍ଟିଲ୍ ସ୍ଲାଗ୍ ରୋଡ୍ ଟେକ୍ନୋଲୋଜିର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହା ସହିତ ନାଗପୁର ପାଇଁ ଏଆଇ ଆଧାରିତ ସଡ଼କ ସୁରକ୍ଷା ସମାଧାନ (ଆଇ-ରାସ୍ତେ), ଦ୍ୱାରକା ଏକ୍ସପ୍ରେସ ରାସ୍ତାର ତୃତୀୟ ପକ୍ଷ ଗୁଣବତ୍ତା ମୂଲ୍ୟାୟନ, ସଡ଼କ ନିର୍ମାଣରେ ଶିଳ୍ପ ବର୍ଜ୍ୟବସ୍ତୁର ବ୍ୟବହାରକୁ ପ୍ରୋତ୍ସାହନ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ସଡ଼କ ଭିତ୍ତିଭୂମି ବିକାଶ ପାଇଁ ସମାଧାନ ପ୍ରଦାନ କରିବା ଦିଗରେ ପ୍ରଫେସର ମନୋରଞ୍ଜନ ପରିଡ଼ାଙ୍କ ପ୍ରଶଂସନୀୟ ଅବଦାନ ରହିଛି ।

୨୦୦୪ ମସିହାରେ ପ୍ରଫେସର ପରିଡ଼ା ଇଣ୍ଡିଆନ୍ ରୋଡ୍ସ କଂଗ୍ରେସ୍ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁ ଜନ୍ମ ଶତବାର୍ଷିକୀ ପୁରସ୍କାର ପାଇଥିଲେ। ତାଙ୍କୁ ଆଇ.ଆଇ.ଟି. ରୁର୍କିର ‘ସର୍ବଶ୍ରେଷ୍ଠ ଶିକ୍ଷକ ପୁରସ୍କାର’ ମଧ୍ୟ ମିଳିଛି। ସେ ବର୍ତ୍ତମାନ ଭାରତୀୟ ସଡ଼କ କଂଗ୍ରେସ, ନୂଆଦିଲ୍ଲୀର ସହରାଞ୍ଚଳ ସଡ଼କ ଏବଂ ରାସ୍ତା କମିଟିର (ଏଚ୍-୮) ସଂଯୋଜକ ଏବଂ ଭାରତୀୟ ମାନକ ବ୍ୟୁରୋ (ବିଟୁମେନ୍, ଟାର ଏବଂ ଅନ୍ୟାନ୍ୟ ଉତ୍ପାଦ) ର ପି.ସି.ଡ଼ି – ୬ କମିଟିର ସଂଯୋଜକ ମଧ୍ୟ ରହିଛନ୍ତି।

ଏହି ପରିପ୍ରେକ୍ଷୀରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଇଂ. ଧର୍ମାନନ୍ଦ ଷଡ଼ଙ୍ଗୀ, ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସର ପୂର୍ବତନ ସଭାପତି ଇଂ. ଅଶୋକ ବାସା, ଭାରତୀୟ ସଡ଼କ କଂଗ୍ରେସ (ଆଇ.ଆର୍.ସି.) ର ସଦସ୍ୟ ଡଃ ଏନସି ପାଲ, ଇଂ. ମନୋରଞ୍ଜନ ମିଶ୍ର, ଇଂ. ଦୁଖବନ୍ଧୁ ବେହେରା, ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସର ପୂର୍ବତନ ଅଧ୍ୟକ୍ଷ ଡ. ପ୍ରଭାତ କୁମାର ପାଢ଼ୀ, ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଲିଙ୍ଗରାଜ ଗୌଡ, ପ୍ରଫେସର ମହାବୀର ପଣ୍ଡା ଓ ପ୍ରଫେସର ପ୍ରଦୀପ କୁମାର ପ୍ରଧାନଙ୍କ ସମେତ ଓଡିଶାର ବିଶିଷ୍ଟ ଇଞ୍ଜିନିୟରଗଣ ପ୍ରଫେସର ପରିଡାଙ୍କୁ ଭାରତୀୟ ସଡ଼କ କଂଗ୍ରେସ (ଆଇ.ଆର୍.ସି.) ର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି।