fbpx

ରାସ୍ତାରେ ପଡିଥିଲା ୨୦୦-୫୦୦ ଟଙ୍କିଆ ନୋଟ୍, ହେଲେ ହାତ ଲଗାଇବାକୁ ଡରୁଥିଲେ ଲୋକେ

କରୋନା ଭାଇରସର ଭୟ ଏତେ ବଢିଗଲାଣି ଯେ, ରାସ୍ତାରେ ପଡିଥିବା ଟଙ୍କାକୁ ମଧ୍ୟ ଗୋଟାଇବାକୁ ଡରିଲେଣି ଲୋକେ । ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଘର ବାହାରେ ଠିଆ ହୋଇଥିବା  ଲୋକଙ୍କୁ ଦେଖି କିଛି କାର ଆରୋହୀ ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ଫିଙ୍ଗିଦେଇ ଚାଲିଯାଇଥିଲେ । ଏଭଳି ଦୃଶ୍ୟ ଦେଖି ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲୋକମାନେ ତୁରନ୍ତ ମ୍ୟୁନିସିପାଲିଟି କର୍ପୋରେସନକୁ ଫୋନ୍ ଜଣାଇବା ସହ ପୋଲିସ ମଧ୍ୟ ସେଠାରେ ଆସି ପହଞ୍ଚିଥିଲା । ରାସ୍ତାରେ ୧୦ ହଜାର ଟଙ୍କା ପଡିଥିଲା ସତ, କିନ୍ତୁ କେହି ବି ତଳୁ ଟଙ୍କା ଉଠାଇନଥିଲେ ।

ତେବେ ସହରର ହୀରା ନଗର ପୋଲିସ ଷ୍ଟେସନ ପରିସରର ଖାତିପୁରା ଅର୍ନ୍ତଗତ ଧର୍ମଶାଳା ସମ୍ମୁଖରେ କାର ଆରୋହୀମାନେ ଟଙ୍କା ଫିଙ୍ଗି ଚାଲିଯାଇଥିଲେ । ନିଗମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ନୋଟ୍ ଛୁଇଁବାକୁ ବାରଣ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଗମ କର୍ମଚାରୀଙ୍କ ସହାୟତାରେ ସମସ୍ତ ନୋଟକୁ ପରିଷ୍କାର କରି ତଦନ୍ତ ପାଇଁ ସୁରକ୍ଷିତ ରଖିଥିଲା। ଏଥି ସହିତ ଯେଉଁଠାରେ ସାମାଜିକ ବିରୋଧୀମାନେ ନୋଟ୍ ଫିଙ୍ଗିଥିଲେ, ସେହି ସ୍ଥାନକୁ ମଧ୍ୟ ପରିମଳ କରାଯାଇଥିଲା । ଏହା ପରେ କର୍ପୋରେସନ୍ କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ କରତାଳି ଦେଇ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବର୍ତ୍ତମାନ ମାମଲାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.