fbpx

କେଜରିୱାଲଙ୍କୁ ପଦ ଛାଡିବାକୁ ବାଧ୍ୟ କରିଛି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର କରିଥିବା ଘୋଷଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀ ଲିକର ସ୍କାମ ମାଲମାରେ ୧୭୭ ଦିନ ଜେଲରେ ବନ୍ଦୀ ରହିଥିବା ସମୟରେ କେଜରିୱାଲ ଏହି ପଦ ନିଜ ଅଧୀନରେ ରଖିଥିଲେ । କିନ୍ତୁ ବାହାରକୁ ବାହାରିବାର ଦୁଇ ଦିନ ପରେ ପଦରୁ ଇସ୍ତଫା ଦେବାକୁ କରିଛନ୍ତି ଘୋଷଣା । ଏହାକୁ ନେଇ ବିଶେଷଜ୍ଞଙ୍କ ରହିଛି ଭିନ୍ନ ମତ ।

ବିଶେଷଜ୍ଞଙ୍କ ଅନୁଯାୟୀ, ପଦରୁ ଇସ୍ତଫା ଦେବା ପଛରେ ରହିଛି ସୁପ୍ରିମ କୋର୍ଟଙ୍କ ରାୟ । କୋର୍ଟ କେଜରିୱାଲଙ୍କ ଜାମିନ ଦେଇଥିଲେ ମଧ୍ୟ ଏଥିରେ ଥିବା ସର୍ତ୍ତରେ ସିଧା ସିଧା ତାଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କି ସଚିବାଳୟ ଯିବାକୁ ବାରଣ କରିଛନ୍ତି । ଏଥିସହ କୌଣସି ସରକାରୀ ଦସ୍ତାବିଜରେ ଦସ୍ତଖତ ନ କରିବାକୁ କହିଛନ୍ତି । ଏପରି ହେଲେ ଦିଲ୍ଲୀରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅନୁମତି ମିଳିବ ନାହିଁ ।

ଆଗକୁ ନିର୍ବାଚନ ଆସୁଛି । ନିର୍ବାର୍ଚନ ପୂର୍ବରୁ କିଛି ଲୋଭନୀୟ ଯୋଜନାର ପ୍ରଣୟନ ସହ ପୂର୍ବ ଘୋଷଣା ମୁତାବକ ହୋଇନଥିବା କାମକୁ ଆଗେଇ ନେବାକୁ ହେବ । ତେଣୁ ମୁଖ୍ୟମନ୍ତ୍ରୀ ପଦରେ ଅନ୍ୟ କେହି ବସିବା ବର୍ତ୍ତମାନ ପାଇଁ ଜରୁରୀ ହୋଇପଡିଛି ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି । ଏଥିସହ କେଜରିୱାଲଙ୍କ ଏହି ନିଷ୍ପତି ମଧ୍ୟ ହରିଆଣା ବିଧାନସଭା ନିର୍ବାଚନରେ ଦଳକୁ ଫାଇଦା ଦେବ ବୋଲି କୁହାଯାଉଛି ।

ଏଠାରେ କହି ରଖୁଛୁ କି, ରବିବାର ଦିନ ଆପ ଆବାହକ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ଜନତାଙ୍କ ଉଦ୍ଦେଶ୍ୟରେ କହିଥିଲେ କି, ସେ ଜେଲରେ ଥିବା ବେଳେ ବିଜେପି ତାଙ୍କୁ ପଚାରୁଥିଲା, କାହିଁକି ଇସ୍ତଫା ଦେଉନାହାନ୍ତି । ତାଙ୍କୁ ଚୋର, ଭ୍ରଷ୍ଟ ବୋଲି ବିଜେପି ଅଭିଯୋଗ କରୁଥିଲା । ଏବେ ଜନତା କହିବେ ବାସ୍ତବରେ ମୁହଁ ସଚୋଟ୍ଟ ନା ଚୋର । ଜନତାଙ୍କ ମତ ନ ଆସିବା ଯାଏ ମୁଁ ମୁଖ୍ୟମନ୍ତ୍ରୀ ପଦରେ ବସିବି ନାହିଁ ବୋଲି କେଜରିୱାଲ କହିଥିଲେ ।

ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଆପ ନେତାଙ୍କ ମୁଖ୍ୟ ଉଦ୍ଦେଶ୍ୟ, ପଦ ଛାଡି ପଡି ରହିଥିବା କାମକୁ ତ୍ୱରାନ୍ୱିତ କରିବା । ଏପରି କରିବା ଦ୍ୱାରା ସେ ଜନତାଙ୍କ ଦୃଷ୍ଟିରେ ପୁଣି ଥରେ ହିରୋ ହୋଇଯିବେ । ପଦପଦବୀ ପ୍ରତି ତାଙ୍କର ଲୋଭ ନ ଥିବା ଦର୍ଶାଇ ହରିଆଣା ନିର୍ବାଚନରେ ମଧ୍ୟ ସଫଳତା ହସଲ କରିବାକୁ ରଣନୀତି ହୋଇଥିବା ରାଜେନୈତିକ ବିଶେଷଜ୍ଞ କହୁଛନ୍ତି । ଏମିତି କରିବା ଦ୍ୱାରା ଦିଲ୍ଲୀ ସହ ହରିଆଣା ନିର୍ବାଚନରେ ଆପ ଜନସମର୍ଥନ ହାସଲ କରିପାରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.