fbpx

IND vs AUS; ଗୋଟିଏ ଇନିଂସରେ ଅନେକ ରେକର୍ଡ: ଅଷ୍ଟ୍ରେଲିଆ ବିପକ୍ଷରେ ଶତକରୁ ବଞ୍ଚିତ ହେଲେ ହିଟମ୍ୟାନ୍ ରୋହିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସୁପର-୮ ପର୍ଯ୍ୟାୟର ଶେଷ ମ୍ୟାଚରେ ଫର୍ମକୁ ଫେରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଦିନିକିଆ ବିଶ୍ୱକପରେ ମିଳିଥିବା ପରାଜୟର ରାଗ ସୁଝାଇଛନ୍ତି ରୋହିତ । ପୁଣିଥରେ ଅଷ୍ଟ୍ରେଲିଆ ଦେଖିଛି ରୋହିତଙ୍କ ହିଟ ମ୍ୟାନ୍ ରୂପ । ୪୧ ବଲରେ ୯୨ ରନର ବିସ୍ଫୋରକ ଇନିଂସ ଖେଳିବା ପରେ ମଧ୍ୟ ଶତକରୁ ବଞ୍ଚିତ ହୋଇଛନ୍ତି ରୋହିତ । କିନ୍ତୁ ଏହାଭିତରେ ଅନେକ ଗୁଡ଼ିଏ ରେକର୍ଡ ଭାଙ୍ଗି ଚୁରମାର କରିଦେଇଛନ୍ତି । ଟି-୨୦ ବିଶ୍ୱକପରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ସହ ସିକ୍ସର କିଙ୍ଗ ପାଲଟିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା ।

ଡାରେନ୍ ସାମୀ ନେସନାଲ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ସୁପର-୮ ପର୍ଯାୟରେ ଉଭୟ ଦଳର ଏହି ଶେଷ ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦିନିକିଆ ବିଶ୍ୱକପ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଥିଲେ ଭାରତର ଅଧିନାୟକ ରୋହିତ ଶର୍ମା । ପ୍ରଥମ ଓଭରରୁ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆର ପ୍ରମୁଖ ବୋଲରଙ୍କୁ ସେ ଟାର୍ଗେଟ କରିଥିଲେ । ମିଚେଲ ଷ୍ଟାର୍କଙ୍କ ଗୋଟିଏ ଓଭରରେ ୩ଟି ଛକା ଏବଂ ଗୋଟିଏ ଚୌକା ମାରି ତାଙ୍କ ଲକ୍ଷ୍ୟ ସ୍ପଷ୍ଟ କରି ଦେଇଥିଲେ । ବିସ୍ଫୋରକ ବ୍ୟାଟିଂ କରି ରୋହିତ ମାତ୍ର ୧୯ ବଲରୁ ହିଁ ଅର୍ଦ୍ଦଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ଏହାସହିତ ଟି-୨୦ ବିଶ୍ୱକପରେ ସବୁଠାରୁ କମ୍ ବଲରେ ଅର୍ଦ୍ଧଶତକ ହାସଲ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି ରୋହିତ ଶର୍ମା ।

ଏହାବ୍ୟତୀତ ଛକା ମାରିବା ତାଲିକାରେ ମଧ୍ୟ ରୋହିତ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ଏହି ମ୍ୟାଚରେ ପଞ୍ଚମ ଛକା ମାରିବା ମାତ୍ରେ ଏକ ବଡ଼ ରେକର୍ଡ କରିଛନ୍ତି ରୋହିତ । ଏହି ଛକା ସହ ଟି-୨୦ ଇଣ୍ଟରନେସନାଲରେ ୨୦୦ ଛକା ମାରିବାରେ ବିଶ୍ୱର ପ୍ରଥମ କ୍ରିକେଟର ପାଲଟିଛନ୍ତି ରୋହିତ ଶର୍ମା । ଆଜିର ମ୍ୟାଚରେ ୪୧ ବଲରୁ ୯୨ ରନ୍ କରିଥିବା ବେଳେ ରୋହିତ ମୋଟ ୮ଟି ଛକା ଏବଂ ୭ଟି ଚୌକା ମାରିଛନ୍ତି । ବର୍ତ୍ତମାନ ଟି-୨୦ କ୍ରିକେଟରେ ସର୍ବାଧିକ ଛକା(୨୦୩) ମାରିବା ତାଲିକାରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ରୋହିତ । ଏହାପରେ ଦ୍ୱିତୀୟରେ ନ୍ୟୁଜିଲାଣ୍ଡ ବ୍ୟାଟର ମାର୍ଟିନ ଗପ୍ଟିଲ(୧୭୩), ତୃତୀୟରେ ଇଂଲଣ୍ଡ ଓପନର ଜୋସ ବଟଲର(୧୩୭) ରହିଛନ୍ତି ।

Get real time updates directly on you device, subscribe now.