ପୁଣି ଲାଗିଲା ମାଓ ପୋଷ୍ଟର, ଭୟରେ ଥରୁଛନ୍ତି ସ୍ଥାନୀୟ ବାସିନ୍ଦା

ବାଲିଗୁଡ଼ା: କନ୍ଧମାଳରେ ଲାଗିଲା ମାଓବାଦୀ ପୋଷ୍ଟର । ଏନେଇ ଭୟରେ ଅଛନ୍ତି ସ୍ଥାନୀୟ ଜନସାଧାରଣ ଓ ଗ୍ରାମବାସୀ ।

ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଜାମଝୋର ରାସ୍ତାକଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର । ଜାମଝୋର ଗାଁ ଛକ ରାଜ୍ୟ ରାଜପଥ- ୫ ମୁଖ୍ୟ ରାସ୍ତା କଡ଼ରେ ଗାଁ କଲ୍ୟାଣ ସମିତିର ହୋର୍ଡିଙ୍ଗ ଉପରେ ଲାଗିଛି ୩ଟି କାଗଜ ପୋଷ୍ଟର ।

ଏଥିରେ ବିଜେପି ସରକାର, ସଙ୍ଘ ଓ ପୋଲିସର ମିଛ ପ୍ରଚାରରେ ଭ୍ରମିତ ନ ହେବାକୁ ଆହ୍ୱାନ ଦିଆଯାଇଥିବା ବେଳେ ଜଳ, ଜଙ୍ଗଲ, ଜମି,ଶିକ୍ଷା, ରୋଜଗାର, ମୌଳିକ ସୁବିଧା ପାଇଁ ଭିକ୍ଷା ନୁହେଁ ସଂଘର୍ଷର ପଥ ଆପଣେଇବା ସହ ଇଜ୍ଜତର ସହ ବଂଚିବାକୁ ପୋଷ୍ଟରରେ ଉଲ୍ଲେଖ ଅଛି ।

ଏହା ବ୍ୟତୀତ କୁଇ ସମାଜ, ପୂର୍ବରୁ କୁଇକୁଳ ସମିତି ନାମରେ ଲାଗିଥିବା ପୋଷ୍ଟରକୁ ବିରୋଧ କରାଯାଇଛି ଏବଂ ମେଟଲାର ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରାଯାଇଛି । ମାଓବାଦୀ ଆଦିବାସୀ ବିରୋଧୀ ନୁହଁ ବୋଲି ମଧ୍ୟ ପୋଷ୍ଟରରେ ଉଲ୍ଲେଖ ଅଛି । ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରୁ ଏହି ମାଓବାଦୀ ପୋଷ୍ଟର ଜାରି କରାଯାଇଥିବା ଜଣାପଡ଼ିଛି ।