fbpx

ମାର୍କେଟ୍‌ ବିଲ୍ଡିଂ ଅଞ୍ଚଳରେ ହେବ ଉଚ୍ଛେଦ ପ୍ରକ୍ରିୟା, ହଟିବ ବେଆଇନ୍‌ ଜବରଦଖଲ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି । ବ୍ୟସ୍ତବହୁଳ ରାଜଧାନୀ ସଂକୁଚିତ ହେବା ଯୋଗୁଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତିର ସାମ୍ନା କରୁଛନ୍ତି ରାଜଧାନୀବାସୀ । ଫଳରେ ଏସବୁକୁ ଗୁରୁତ୍ୱ ଦେଇ ବିଏମ୍‌ସି ଏବେ ଏହାର ସମାଧାନ ଦିଗରେ ଅଣ୍ଟା ଭିଡ଼ିଛି । ଏବେ ରାସ୍ତାଘାଟ ବିକ୍ରେତାଙ୍କ ଦ୍ୱାରା ହୋଇଥିବା ବେଆଇନ ଜବରଦଖଲ ହଟାଇବାକୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ମାର୍କେଟ ବିଲଡିଂ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ନେଇଛି ।

ଏତଦ୍‌ ବ୍ୟତୀତ ପ୍ରତିଷ୍ଠାନ ସମ୍ମୁଖରେ ବ୍ୟବସାୟୀଙ୍କ ଦ୍ୱାରା ଅନେକ ଅନୈତିକ ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ଷ୍ଟଲ୍‌ଗୁଡ଼ିକୁ ମଧ୍ୟ ହଟାଯିବ । ପ୍ରବେଶ ପଥରେ ଦୋକାନଗୁଡ଼ିକ ଧାଡ଼ି ହୋଇ ରହିଥିବାରୁ ଯାନବାହାନ ପ୍ରବେଶ କରିବା କଷ୍ଟକର ହୋଇପଡ଼ିଛି । ଆବଶ୍ୟକ ସମୟରେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବାହିନୀ ସେସବୁ ସ୍ଥାନକୁ ଯିବା କଷ୍ଟସାଧ୍ୟ ହୋଇପଡ଼ିଛି ।

ସେହିଭଳି ମାର୍କେଟ୍‌ କମ୍ପେ୍ଲକ୍ସ ଆଦି ସ୍ଥାନଗୁଡ଼ିକରେ ସର୍ବସାଧାରଣ ଯାନବାହାନ ପ୍ରବେଶ ଉପରେ ମଧ୍ୟ ବାରଣ କରାଯାଇଛି । କାରଣ ଏହିସବୁ ସ୍ଥାନକୁ ପ୍ରତ୍ୟେହ ହଜାର ହଜାର ଲୋକେ ଯିବାଆସିବା କରିଥାନ୍ତି । ଫଳରେ ସାମାନ୍ୟତମ ଟ୍ରାଫିକ ସମସ୍ୟା ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗ୍ରାହକଙ୍କୁ ସେମାନଙ୍କ ଗାଡି ପାର୍କିଂ ଅଞ୍ଚଳରେ ପାର୍କିଂ କରିବାକୁ କୁହାଯାଇଛି । ଏଠାରେ ଉଲ୍ଲେଖ କରିବା ପ୍ରଯୁଜ୍ୟ ଯେ ମାର୍କେଟ ବିଲଡିଂର ସୌନ୍ଦର୍ଯ୍ୟକରଣ ବିଏମସି ଦ୍ୱାରା ୨୦୧୦ ରେ କରାଯାଇଥିଲା ଏବଂ ରାସ୍ତାଘାଟ ବିକ୍ରେତାଙ୍କୁ କମ୍ପେ୍ଲକ୍ସ ଭିତରେ ଥିବା ପ୍ରବେଶ ପଥରେ ନିଜର ଷ୍ଟଲ୍‌ ନଲଗାଇବା ପାଇଁ ନିର୍ଦ୍ଦେଶ ରହିଥିଲା । ତେବେ ଅନେକ ବିକ୍ରେତା ପଥଚାରୀଙ୍କ ଗତିବିଧି ପାଇଁ ଉଦ୍ଦିଷ୍ଟ ଅଞ୍ଚଳକୁ ଦଖଲ କରିଛନ୍ତି ।

Get real time updates directly on you device, subscribe now.