fbpx
BSKY SKY
BSKY SKY

ବିବାହ କ’ଣ ଏକ ଖେଳ ଘର? ଗୋଟିଏ ଦାନ୍ତ ନଥିବାରୁ ମହିଳାଙ୍କୁ ମାଡ଼ ମାରି, ନିର୍ଯାତନା ଦେଇ ଘରୁ ତଡ଼ିଦେଲେ ସ୍ୱାମୀ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅନେକଙ୍କର ଦାମ୍ପତ୍ତ୍ୟ ଜୀବନରେ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ପରକୀୟା ପ୍ରୀତି, ପାରମ୍ପରିକ ବୁଝାମଣା, ଆଥିର୍କ ସମସ୍ୟା ଆଦି ବିଭିନ୍ନ କାରଣରୁ ବିବାହିତ ପୁରୁଷ ଓ ମହିଳାମାନେ ଅଲଗା ହୋଇଯାଉଛନ୍ତି । ତେବେ ଏହା ମଧ୍ୟରେ ଏକ ନୂଆ କଥା ଶୁଣିବାକୁ ମିଳୁଛି । ‘ଦାନ୍ତ’ କାରଣରୁ ଗୋଟିଏ ସୁନାର ସଂସାର ଆଜି ଭାଙ୍ଗିଯାଇଛି । କୌଣସି ଉପାୟ ନପାଇ ଶେଷରେ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ମୁତାବକ, ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ନୂଆ ଘଟଣା । କୋଣାର୍କ ଅଞ୍ଚଳର ଜଣେ ଯୁବକ ଦେଢ଼ମାସ ତଳେ ରାମଚଣ୍ଡୀ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ବର ଓ କନ୍ୟା ପକ୍ଷ ଦେଖାସାକ୍ଷାତ କରିଥିଲେ । ତେବେ ବିବାହ ପରେ ନବବଧୂଙ୍କର ଗୋଟିଏ ଦାନ୍ତ ନଥିବା ବରପକ୍ଷ ଦେଖିବାକୁ ପାଇଥିଲେ । ଏହାପରେ ବିବାହର ଗୋଟିଏ ଦିନ ପରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା ।

ଏହାପରେ ବାପଘର ଲୋକେ ପହଞ୍ଚି ଆଲୋଚନା କରିଥିବା ବେଳେ ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରିଥିଲେ । ତେବେ ୧୦ ହଜାର ଟଙ୍କା ଖର୍ଚ୍ଚ କରି ଗୋଟିଏ ନକଲି ଦାନ୍ତ ଲଗାଇଦେବେ ବୋଲି କନ୍ୟାପକ୍ଷ ପ୍ରତିଶ୍ରୁତି ଦେଇଥିଲେ ହେଁ ବରପକ୍ଷ କିନ୍ତୁ ବୁଝିନଥିଲେ । ନବବଧୂଙ୍କୁ ଶାଶୂଘର ଲୋକେ ମାଡ଼ ମାରି ଘରୁ ତଡ଼ିଦେବା ପରେ ସେ ନିରାଶ ହୋଇ କୋଣାର୍କ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଏନେଇ ଶାଶୂଘର ଲୋକଙ୍କୁ ଥାନାକୁ ଡକାଯାଇଛି ଓ ଦୁଇପକ୍ଷଙ୍କ ଆଲୋଚନା ପରେ ଯଦି ସେମାନେ ନ ବୁଝିବେ ତେବେ ବରପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.